ଆଗରପାତା ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ
ବନ୍ତ /ଆଗରପଡା,( ନିପ୍ର) ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ବନ୍ତ ବ୍ଲକ୍ ଅଧୀନ କାଦବରାଙ୍ଗ, ବଡ଼ବର୍ଚ୍ଚିକୟାଁ, ପୁରୁଷଣ୍ଢ ଓ ଗୋପୀନାଥପୁର ଆଦି ପଞ୍ଚାୟତକୁ ଯାଇ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ମହିଳା ଉଦ୍ୟୋଗୀଙ୍କ କାର୍ଯ୍ୟ ତଦାରଖ କରି ସ୍ୱାବଲମ୍ବୀ ହେବା ପାଇଁ କହିଥିଲେ। କାଦବରାଙ୍ଗ ବାବା ଧବଳେଶ୍ୱର ମହିଳା ମହାସଂଘ ଅଧୀନରେ କାର୍ଯ୍ୟରତ ଗ୍ରାମାଞ୍ଚଳ ଶିଳ୍ପ ଉଦ୍ୟାନ , ମହିଳା ମହାସଂଘ ଗୃହ, ଅଟା କଳ ଓ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ କାର୍ଯ୍ୟର ତଦାରଖ କରିଥିଲେ। ପରେ ଶେଉଳଗଡ଼ିଆ ସ୍ଥିତ କୃଷି ଫାର୍ମରେ କୁକୁଡ଼ା, ମାଛ ଓ ପନିପରିବା ଚାଷ ବୁଲି ଦେଖିଥିଲେ। ପଞ୍ଚାୟତ ଗୃହ ପରିଦର୍ଶନ ପରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରାୟ ୧୦ କୋଟି ର ନୂତନ ଗୃହ ନିର୍ମାଣର ଅଗ୍ରଗତି ନେଇ ତଦାରଖ କରିବା ସହ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ତତ୍ ସହିତ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା ସୁଶ୍ରୀ ସଙ୍ଗିତା ବିଶ୍ୱାଳ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ । ଗୋପିନାଥପୁର ପଞ୍ଚାୟତ କାଣ୍ଡବା ସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ।ସାହୁପଡ଼ା ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ । ଗୋପୀନାଥପୁର ମହିଳା ଫେଡେରେସନ ଗୃହ, ନୂତନ ଗୋପିନାଥପୁର-ହରିପୁର ସେତୁ ଓ ମହିଳା ବୁଣାକାରମାନଙ୍କୁ ଭେଟି ଗାମୁଛା ଓ ଷ୍ଟଲ ବୁଣା ଦେଖି ପ୍ରଶଂସା କରିଥିଲେ। ଶେଷରେ କୈଳାସ ସାହୁଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ କୁକୁଡ଼ା ଫାର୍ମ ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବିଡିଓ ସୀତାକାନ୍ତ ରାଉତ, ସହକାରୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଗଣେଶ ହେମ୍ବ୍ରମ, ଏସଡିଓ ସୁରଥ ବେହେରା, ସିଡ଼ିପିଓ ଅଲାଡ଼ି ମାରାଣ୍ଡି, ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗମାୟା ସିଂହ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।
