*ନୂଆପଡ଼ାରେ ଆଡାପ୍ଟ-୪-ଆର୍ ପ୍ରକଳ୍ପର ଦ୍ୱିତୀୟ ଜିଲ୍ଲାସ୍ତରୀୟ *ସମୀକ୍ଷା ବୈଠକ ଅନୁଷ୍ଠିତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୨/୦୯:
ନୂଆପଡ଼ା ଜିଲ୍ଲାରେ ଆଡାପ୍ଟ-୪-ଆର୍ (ADAPT4R–Adaptation for Resilience) ପ୍ରକଳ୍ପର କାର୍ଯ୍ୟାନ୍ୱୟନର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ସମୀକ୍ଷା ନେଇ ଦ୍ୱିତୀୟ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କମିଟି (DPIC-2) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ପ୍ରକଳ୍ପର ଏପର୍ଯ୍ୟନ୍ତ ଅଗ୍ରଗତି, ପ୍ରଥମ DPIC ବୈଠକର ନିଷ୍ପତ୍ତିର ଅନୁପାଳନ ଏବଂ ଆଗାମୀ ମାସଗୁଡ଼ିକର କାର୍ଯ୍ୟଯୋଜନା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଜୀବିକା ସୁଦୃଢ଼ୀକରଣ, ସମ୍ପତ୍ତିକୁ ଜଳବାୟୁ ସହନଶୀଳ କରିବା, ଲାଷ୍ଟ ମାଇଲ୍ କ୍ଲାଇମେଟ୍ ସର୍ଭିସେସ୍ (LMCS) ଏବଂ ଜଳବାୟୁ ଅନୁକୂଳନ ଓ ସମାବେଶୀ ସମୁଦାୟ (CAICs) ସହିତ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ନେଇ ଆଲୋଚନା ହୋଇଥିଲା।ପ୍ରକଳ୍ପର ଜିଲ୍ଲା ନୋଡାଲ୍ ଅଧିକାରୀ ତଥା ଡିଏଫ୍ଓ, ଖଡ଼ିଆଳ ଅଜିଜ ଖାନ୍ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଜିଲ୍ଲାର ତୃଣମୂଳସ୍ତରରେ ପ୍ରକଳ୍ପର ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଅଧିକ ସମନ୍ୱୟ ଓ ସମ୍ମିଳିତ ପ୍ରୟାସର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ।
ଜିଲ୍ଲାପାଳ ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ଯୋଜନା ଓ ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ପ୍ରକଳ୍ପ ଅଞ୍ଚଳରେ ସରକାରୀ ଯୋଜନାଗୁଡ଼ିକର ଶତପ୍ରତିଶତ ପରିପୂରଣ ପାଇଁ ବିଭାଗୀୟ ସମନ୍ୱୟ ବଢ଼ାଇବା ସହ ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ।ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍, ଜଳବାୟୁ ପରିବର୍ତ୍ତନର ପ୍ରଭାବ ନେଇ ଲୋକଙ୍କୁ ସଚେତନ କରିବା ଏବଂ ‘କ୍ଲାଇମେଟ୍ ଚାମ୍ପିଅନ୍’ମାନଙ୍କର ତାଲିମ ଓ ଦକ୍ଷତା ବିକାଶ ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନର ମୁକାବିଲା ପାଇଁ ତୃଣମୂଳସ୍ତରରେ ସହନଶୀଳତା ବୃଦ୍ଧି କରିବା ଦିଗରେ ପ୍ରକଳ୍ପକୁ ଅଧିକ ପ୍ରଭାବଶାଳୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଆଡାପ୍ଟ-୪-ଆର୍ ପ୍ରକଳ୍ପର ନିୟମିତ ନିରୀକ୍ଷଣ ଓ ସମୀକ୍ଷା ସହିତ ସମ୍ପୃକ୍ତ ବିଭାଗଗୁଡ଼ିକର ସକ୍ରିୟ ସମନ୍ୱୟ ମାଧ୍ୟମରେ ନୂଆପଡ଼ାକୁ ଏକ ‘ଜଳବାୟୁ ସହନଶୀଳ ମଡେଲ୍ ଜିଲ୍ଲା’ ଭାବେ ଗଢ଼ିତୋଳିବା ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ମଡେଲ୍କୁ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲା ଓ ରାଜ୍ୟରେ ପ୍ରୟୋଗ କରିବାର ଲକ୍ଷ୍ୟ ରହିଛି।ବୈଠକରେ ଡିଏଫ୍ଓ, ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ ସମୀର ସାହୁ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇଙ୍କ ସମେତ ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ପ୍ଲାନିଂ ଆଣ୍ଡ କନଭର୍ଜେନ୍ସ ବିଭାଗର ଉପନିର୍ଦ୍ଦେଶକ, ବୋଡେ଼ନ ଓ ଖଡ଼ିଆଳ ବିଡିଓ, ଜିଲ୍ଲା ଶ୍ରମ ଅଧିକାରୀ, ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା କଲ୍ୟାଣ ଅଧିକାରୀ, ଓଡ଼ିଶା ଜୀବିକା ମିଶନର ଡିପିଏମ୍, ନାବାର୍ଡର ଡିଡିଏମ୍, ଏଲ୍ଡିଏମ୍, KVK-ନୂଆପଡ଼ାର ବରିଷ୍ଠ ବୈଜ୍ଞାନିକ, ଏସିଏଫ୍ ଓ ସମ୍ପୃକ୍ତ ରେଞ୍ଜ ଅଧିକାରୀମାନେ ଯୋଗଦେଇଥିଲେ। ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା AJSA-Indiaର କର୍ମଚାରୀ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP)ର SPMU କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP), ନୂଆଦିଲ୍ଲୀର NPMU ଟିମ୍ ଏବଂ WFP ଓଡ଼ିଶା ମୁଖ୍ୟାଳୟ, ଭୁବନେଶ୍ୱରର ପ୍ରତିନିଧିମାନେ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।
