*୪ର୍ଥ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ପରିବେଶ ନିୟମ ଉଲ୍ଲଂଘନରେ କଡ଼ା ପଦକ୍ଷେପ, ଏସ୍ଟିପି ନଥିଲେ ହୋଟେଲ ସିଲ୍*
ନୂଆପଡା(ମିଖାଏଲ ନନ୍ଦ)
ତା: ୦୨.୦୯:
ନୂଆପଡ଼ାରେ ପରିବେଶ ସୁରକ୍ଷା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ସୁଦୃଢ଼ କରିବା ନେଇ ୪ର୍ଥ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀରର ଆଞ୍ଚଳିକ ଅଧିକାରୀ ବବିତା ସିଂହ ଆଞ୍ଚଳିକ କାର୍ଯ୍ୟାଳୟ ଓ ନୂଆପଡ଼ା ଖଣି ବିଭାଗ ପକ୍ଷରୁ କ୍ରସର୍ ୟୁନିଟ୍ ଗୁଡ଼ିକର ଯୁଗ୍ମ ଯାଞ୍ଚ ସମ୍ପନ୍ନ ହୋଇଥିବା ସୂଚନା ଦେଇଥିଲେ। ରାଇସ୍ ମିଲ୍ଗୁଡ଼ିକର ନିୟମିତ ଯାଞ୍ଚ ଓ ପରିବେଶ ନିୟମ ଉଲ୍ଲଂଘନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ନେଇ ମଧ୍ୟ ଉପସ୍ଥାନ କରିଥିଲେ।
ହୋଟେଲ ଗୁଡ଼ିକର ପରିବେଶ ସମ୍ମତିପତ୍ର ଓ ବର୍ଜ୍ୟଜଳ ବିଶୋଧନାଗାର ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ନିୟମାନୁସାରେ ଆବଶ୍ୟକ STP ନଥିବା କିମ୍ବା ପରିବେଶ ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ବିରୋଧରେ ଆବଶ୍ୟକତାନୁସାରେ ସିଲ୍ ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ତହସିଲଦାର, ବିଡିଓ ଓ ଥାନା ଅଧିକାରୀମାନେ ନିଜ ଅଞ୍ଚଳରେ ନିୟମିତ ଯାଞ୍ଚ କରିବାକୁ କୁହାଯାଇଥିଲା।
