*କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ; ଜଣେ ଲୋକଙ୍କ ଭରସାରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଶବ ବ୍ୟବଚ୍ଛେଦ ଗୃହ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୧ ସେପ୍ଟେମ୍ବର:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରର ଶବ ବ୍ୟବଚ୍ଛେଦ (Post-mortem) ଗୃହରେ ଦୀର୍ଘ ଦିନ ହେବ ଆବଶ୍ୟକୀୟ କର୍ମଚାରୀ ଦଳ ନଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ ମାତ୍ର ଜଣେ ଲୋକଙ୍କ ଭରସାରେ ଚାଲିଥିବା ଅଭିଯୋଗ ହୋଇଛି। ପ୍ରଶାସନର ଏଭଳି ଚରମ ଅବହେଳାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଅପମୃତ୍ୟୁ ମାମଲାରେ ଶବ ବ୍ୟବଚ୍ଛେଦ ପାଇଁ ଏଠାକୁ ପ୍ରତିଦିନ ମୃତଦେହ ଅଣାଯାଇଥାଏ। ନିୟମ ଅନୁଯାୟୀ, ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ବିଶେଷଜ୍ଞ ଡାକ୍ତର ଏବଂ ଏକ ସହଯୋଗୀ ଦଳଙ୍କ ଉପସ୍ଥିତିରେ ହେବା କଥା। ମାତ୍ର ଏଠାରେ ଦାୟିତ୍ୱରେ ଥିବା ଏକମାତ୍ର ସେବକ/କର୍ମଚାରୀ ଅଖିଳେଶ କୁମାର ଦୀପଙ୍କ ଭରସାରେ ସମଗ୍ର ଶବ ବ୍ୟବଚ୍ଛେଦ ଗୃହର କାମ ଚାଲିଛି। ଜଣେ ବ୍ୟକ୍ତି ସମସ୍ତ କାର୍ଯ୍ୟ କରୁଥିବାରୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।ଏହି ସମସ୍ୟା ଯୋଗୁଁ ମୃତକଙ୍କ ସମ୍ପର୍କୀୟମାନେ ଘଣ୍ଟା ଘଣ୍ଟା ଧରି ମୃତଦେହ ପାଇବା ପାଇଁ ଅପେକ୍ଷା କରି ରହୁଛନ୍ତି, ଯାହା ସେମାନଙ୍କ ଦୁଃଖକୁ ଦୁଇଗୁଣିତ କରୁଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ କହିବା ଅନୁସାରେ, ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି ଏବଂ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହିଁ।ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ଯେ, ଯଦି ତୁରନ୍ତ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ରର ଶବ ବ୍ୟବଚ୍ଛେଦ ଗୃହରେ ସ୍ଥାୟୀ କର୍ମଚାରୀ ନିଯୁକ୍ତ କରାନଯାଏ, ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ।
