ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ମହୋତ୍ସବ ଅନୁଷ୍ଠିତ
ବନ୍ତ :(ନିପ୍ର) ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ‘ସଂସ୍କୃତ ସପ୍ତାହ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ସଂସ୍କୃତ ଭାଷାର ମହତ୍ତ୍ୱ, ଏହାର ସାହିତ୍ୟିକ ଓ ଐତିହାସିକ ଅବଦାନ ସହିତ ଭାରତୀୟ ଜ୍ଞାନ ପରମ୍ପରାରେ ସଂସ୍କୃତର ଭୂମିକା ଉପରେ ଆଲୋଚନା କରାଯାଇଥିଲା।ଉତ୍ସବରେ ମୁଖ୍ୟ ଅତିଥି ବାଲେଶ୍ୱର ସ୍ଥିତ ଶୁକଦେଇ ସଂସ୍କୁତ ମହାବିଦ୍ୟାଳୟ ବିରଞ୍ଚିପୁରର , ଅଧ୍ୟାପକ ପ୍ରସନ୍ନ କୁମାର ପଣ୍ଡା , ମୁଖ୍ୟବକ୍ତା ବରପଦା ସ୍ଥିତ କମଳା କିଶୋରୀ ରାଉତ ମହାବିଦ୍ୟାଳୟର ଅଧ୍ୟାପକ ବଂକିମ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ପୁରାତନ ଛାତ୍ର ରଶ୍ମି ରଞ୍ଜନ ବାରିକ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ, ଏହା ଭାରତୀୟ ସଭ୍ୟତା, ସଂସ୍କୃତି, ଦର୍ଶନ, ନୀତିଶାସ୍ତ୍ର ଓ ଜ୍ଞାନ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଭାଷା। ବେଦ, ଉପନିଷଦ, ପୁରାଣ, ରାମାୟଣ, ମହାଭାରତ ସମେତ ଅନେକ ମହାନ ଗ୍ରନ୍ଥ ଭାରତୀୟ ଚିନ୍ତନଧାରାକୁ ସମୃଦ୍ଧ କରିଛି। ତେଣୁ ନୂତନ ପିଢ଼ି ମଧ୍ୟରେ ସଂସ୍କୃତ ଭାଷା ପ୍ରତି ଆଗ୍ରହ ବଢ଼ାଇବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ଦାଶ କହିଥିଲେ ଯେ, ସଂସ୍କୃତ ଭାଷା ଆମ ଦେଶର ଗୌରବମୟ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଧୁନିକ ଯୁଗରେ ମଧ୍ୟ ସଂସ୍କୃତର ଅଧ୍ୟୟନ ଓ ଗବେଷଣାର ବ୍ୟାପକ ସୁଯୋଗ ରହିଛି। ଛାତ୍ରଛାତ୍ରୀମାନେ ସଂସ୍କୃତ ଭାଷାକୁ ନିଜ ଶିକ୍ଷାଜୀବନର ଏକ ଅଂଶ କରିବା ସହ ଏହାର ମହତ୍ତ୍ୱକୁ ସମାଜରେ ପହଞ୍ଚାଇବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।
ସପ୍ତାହବ୍ୟାପୀ ଏହି ମହୋତ୍ସବ ଅବସରରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ସଂସ୍କୃତ ଶ୍ଲୋକ ପାଠ, ବେଦପାଠ, ସଂସ୍କୃତ ଭାଷଣ, କବିତା ପାଠ, ସଂସ୍କୃତ ନାଟକ, ପ୍ରବନ୍ଧ ଲିଖନ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସଂସ୍କୃତ ଶ୍ଲୋକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।କାର୍ଯ୍ୟକ୍ରମରେ ଅଧ୍ୟାପକ ଚନ୍ଦ୍ରକାନ୍ତ ବେହେରା, ମନୋଜ କୁମାର ରାଉତ,ଓ ଅଣ ଶିକ୍ଷକକର୍ମଚାରୀ ଉତ୍ତମ କୁମାର ବିଶ୍ୱାଳ, ଶଙ୍କର୍ଷଣ ରାଉତ ସଂସ୍କୃତ ଭାଷାର ଉତ୍ପତ୍ତି, ବିକାଶ, ସାହିତ୍ୟିକ ମହତ୍ତ୍ୱ ଏବଂ ଆଧୁନିକ ସମାଜରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ସଂସ୍କୃତ ସାହିତ୍ୟରେ ରହିଥିବା ନୀତିବୋଧ, ମାନବିକ ମୂଲ୍ୟବୋଧ ଓ ଜୀବନଦର୍ଶନକୁ ଛାତ୍ରଛାତ୍ରୀମାନେ ନିଜ ଜୀବନରେ ଅନୁସରଣ କରିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ।ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂସ୍କୃତ ଭାଷାରେ ଆଲୋଚନା ଓ ଭାଷଣ ପ୍ରଦାନ। ସଂସ୍କୃତ ଭାଷାକୁ ଦୈନନ୍ଦିନ ଜୀବନରେ କିପରି ବ୍ୟବହାର କରାଯାଇପାରିବ, ସେ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ମତ ରଖିଥିଲେ। ଏହା ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ପ୍ରତି ଆଗ୍ରହ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା।ଉତ୍ସବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସଂସ୍କୃତ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଚନ୍ଦ୍ରକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସହଯୋଗରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ସଂସ୍କୃତ ସପ୍ତାହ ମହୋତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ନିଜ ଭାଷା ଓ ସଂସ୍କୃତି ପ୍ରତି ଗର୍ବବୋଧ ସୃଷ୍ଟି ହେବା ସହ ଭାରତୀୟ ଜ୍ଞାନ ପରମ୍ପରାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାର ଏକ ସୁନ୍ଦର ପ୍ରୟାସ ହୋଇଥିବା ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
