ଛତ୍ରପୁରରେ ଶିଶୁ ଯତ୍ନ ଓ ପରିବାରରୁ ବିଚ୍ଛିନ୍ନତା ନିବାରଣ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା
ପ୍ରତ୍ୟେକ ଶିଶୁ ପାଇଁ ପରିବାର ଓ ପ୍ରୀତିପୂର୍ଣ୍ଣ ପରିବେଶ ଗୁରୁତ୍ୱପୂର୍ଣ୍ଣ : ବବିତା ପାତ୍ର
ଛତ୍ରପୁର, ୨୯/୦୮/୨୦୨୬: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଶିଶୁ ଯତ୍ନ ଓ ପରିବାରରୁ ଶିଶୁମାନଙ୍କ ବିଚ୍ଛିନ୍ନତା ନିବାରଣ ସମ୍ପର୍କିତ ଏକ ଆଞ୍ଚଳିକ କର୍ମଶାଳା ଆଜି ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳାରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ କଲ୍ୟାଣ କମିଟିର ସଦସ୍ୟ ଏବଂ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ।
କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର କହିଥିଲେ ଯେ, ପ୍ରତ୍ୟେକ ଶିଶୁ ପାଇଁ ପରିବାର ଓ ପ୍ରୀତିପୂର୍ଣ୍ଣ ପରିବେଶ ଅତ୍ୟନ୍ତ ଜରୁରୀ । ଶିଶୁ ଯତ୍ନ ଅନୁଷ୍ଠାନରେ ରହିବା, ଖାଦ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ମିଳିଥାଏ; ମାତ୍ର ପରିବାରର ସ୍ନେହ, ମମତା ଓ ଆତ୍ମୀୟତା ଅନୁଷ୍ଠାନ ସମୁଚିତ ଭାବରେ ଦେଇପାରେ ନାହିଁ। ତେଣୁ ଶିଶୁ ଯତ୍ନ ଅନୁଷ୍ଠାନକୁ ଶେଷ ବିକଳ୍ପ ଭାବେ ବିବେଚନା କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ ।
ଶିଶୁମାନଙ୍କୁ ପରିବାର ମଧ୍ୟରେ ସୁରକ୍ଷିତ ରଖିବା ପାଇଁ ପଞ୍ଚାୟତ ସ୍ତରରେ ଅସହାୟ ଓ ବିପଦାପନ୍ନ ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ସାମାଜିକ ଓ ଆର୍ଥିକ ଭାବେ ସଶକ୍ତ କରିବା ଆବଶ୍ୟକ ବୋଲି ଅଧ୍ୟକ୍ଷା କହିଥିଲେ। ସୁଭଦ୍ରା, ଯଶୋଦା ଓ ଆଶୀର୍ବାଦ ଭଳି ସରକାରୀ ଯୋଜନା ସହ ଯୋଗ୍ୟ ପରିବାରଗୁଡ଼ିକୁ ଯୋଡ଼ି ସେମାନଙ୍କ ଜୀବିକା ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରାଯାଇପାରିଲେ ଶିଶୁମାନଙ୍କୁ ପରିବାରରୁ ବିଚ୍ଛିନ୍ନ ହେବାରୁ ରୋକାଯାଇପାରିବ। ଶିଶୁ ଅନୁକୂଳ ଓଡ଼ିଶା ଗଠନ ଦିଗରେ ସମସ୍ତ ଅଂଶୀଦାର ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ନାୟକ କହିଥିଲେ ଯେ, ଶିଶୁମାନେ ପରିବାରରୁ ବିଚ୍ଛିନ୍ନ ହେବାର ପଛରେ ଥିବା ମୂଳ କାରଣଗୁଡ଼ିକୁ ଚିହ୍ନଟ କରି ତାହାର ସଠିକ୍ ନିରାକରଣ କରିବା ଆବଶ୍ୟକ। ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ସିଡିପିଓମାନେ ଅସହାୟ ପରିବାର ଓ ବିପଦାପନ୍ନ ଶିଶୁମାନଙ୍କୁ ଚିହ୍ନଟ କରି ସମୟୋଚିତ ସହାୟତା ପହଞ୍ଚାଇବାରେ ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ। ସାମୂହିକ ସଦ୍ଭାବନା ଓ ସମନ୍ୱିତ ପ୍ରୟାସ ମାଧ୍ୟମରେ ଶିଶୁମାନଙ୍କ ପାଇଁ ସୁରକ୍ଷିତ ଓ ସହାନୁଭୂତିଶୀଳ ପରିବେଶ ଗଠନ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ୟୁନିସେଫ୍ର ଶିଶୁ ସୁରକ୍ଷା ବିଶେଷଜ୍ଞ ମାନ୍ନା ବିଶ୍ୱାସ କହିଥିଲେ ଯେ, ଓଡ଼ିଶାରେ ପ୍ରାୟ ୩ ପ୍ରତିଶତ ଶିଶୁ ନିଜ ସମ୍ପର୍କୀୟଙ୍କ ନିକଟରେ ରହୁଛନ୍ତି। ଶିଶୁମାନଙ୍କୁ ପ୍ରଥମେ ପରିବାର କିମ୍ବା ଆତ୍ମୀୟସ୍ୱଜନଙ୍କ ନିକଟରେ ସୁରକ୍ଷିତ ଭାବେ ରଖିବା ଉପରେ ପ୍ରାଥମିକତା ଦେବା ଆବଶ୍ୟକ। ଗ୍ରାମ ଓ ପଞ୍ଚାୟତ ସ୍ତରରେ ବିପଦାପନ୍ନ ଶିଶୁଙ୍କୁ ପୂର୍ବରୁ ଚିହ୍ନଟ କରି ସରକାରୀ ସହାୟତା, ଶିକ୍ଷା ସହାୟତା ଓ ଛାତ୍ରବୃତ୍ତି ଯୋଗାଇ ଦିଆଯାଇପାରିଲେ ଅନେକ ଶିଶୁଙ୍କୁ ଅନୁଷ୍ଠାନରେ ରଖିବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ସେ କହିଥିଲେ।
ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ଘାସିରାମ ପଣ୍ଡା ଜିଲ୍ଲା ଓ ଗ୍ରାମପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଏବଂ ବାଳସଭାଗୁଡ଼ିକୁ ଅଧିକ ସକ୍ରିୟ କରିବା ଉପରେ ଆଲୋକପାତ କରିଥିଲେ। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସମେତ ବିଭିନ୍ନ ବିଭାଗୀୟ ଯୋଜନା ମାଧ୍ୟମରେ ଶିଶୁମାନଙ୍କୁ ଶିକ୍ଷା ସହାୟତା ଯୋଗାଇ ଦେଇ ପରିବାରଗୁଡ଼ିକୁ ଆର୍ଥିକ ଭାବେ ସକ୍ଷମ କରାଯାଇପାରିବ ବୋଲି ସେ କହିଥିଲେ।
ଶେଷରେ ଉପସ୍ଥିତ ସମସ୍ତ ଅଧିକାରୀ, ବିଶେଷଜ୍ଞ ଓ ପ୍ରତିନିଧିମାନେ ପ୍ରତ୍ୟେକ ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତରରେ ଶିଶୁମାନଙ୍କ ସର୍ବୋତ୍ତମ ହିତକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବା ସହିତ ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ, ସ୍ନେହପୂର୍ଣ୍ଣ ଓ ପରିବାରଭିତ୍ତିକ ପରିବେଶ ଯୋଗାଇଦେବା ପାଇଁ ସଂକଳ୍ପ ନେଇଥିଲେ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ
