*ନୂଆପଡ଼ାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ଯୋଜନାର ସମୀକ୍ଷା; ଅଗଷ୍ଟ ଶେଷ ସୁଦ୍ଧା ୧୨ ଖେତ ପୋଖରୀରେ ଗ୍ରାସ୍ ଟର୍ଫିଂ ଶେଷ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୮/୦୮:
ନୂଆପଡ଼ା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗ ଅଧୀନରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ବୈଠକ ଆରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ସନ୍ତୋଷ କୁମାର ରଥ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ଜଳଧାରା ଯୋଜନା, ଭିବିଜି-ରାମ-ଜି ଯୋଜନା ଓ କୃଷିବନୀକରଣ ଯୋଜନାର ପ୍ରଗତି ସମ୍ପର୍କରେ ସେ ବିସ୍ତୃତ ତଥ୍ୟ ଦେଇଥିଲେ।କୃଷିବନୀକରଣ ଯୋଜନାରେ ଚଳିତ ଆର୍ଥିକ ବର୍ଷ ପାଇଁ ୯୯ ହେକ୍ଟର ଜମିରେ ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଇତିମଧ୍ୟରେ ୯୬ ହେକ୍ଟର ଜମିରେ ଚାରାରୋପଣ ସମ୍ପୂର୍ଣ୍ଣ ହୋଇଛି।ସେହିପରି ଜଳଧାରା ଯୋଜନାରେ ଖନନ କରାଯାଇଥିବା ୧୩୮ଟି ଖେତ ପୋଖରୀ ମଧ୍ୟରୁ ୧୨୬ଟିରେ ଗ୍ରାସ୍ ଟର୍ଫିଂ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୧୨ଟି ଖେତ ପୋଖରୀରେ ଗ୍ରାସ୍ ଟର୍ଫିଂ କାର୍ଯ୍ୟ ଅଗଷ୍ଟ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଭିବିଜି-ରାମ-ଜି ଯୋଜନାରେ ଅନୁମୋଦିତ ୧୨୦ ହେକ୍ଟର ଟ୍ରେଞ୍ଚ ଏବଂ ୬୬.୫ ହେକ୍ଟର ଫିଲ୍ଡ ବଣ୍ଡିଂ କାର୍ଯ୍ୟକୁ ଆସନ୍ତା ୭ ଦିନ ମଧ୍ୟରେ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନରେ ସମୟସୀମା ଓ ଗୁଣବତ୍ତାକୁ ପ୍ରାଥମିକତା ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ଜିଲ୍ଲାର ତିନିଜଣ ସଫଳ ଚାଷୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ କୃଷି କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।ବୈଠକରେ ସହକାରୀ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଦେବବ୍ରତ ବିଶ୍ୱାଳ, ସ୍ୱୟଂପ୍ରଭା ସିଂହ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦେବପ୍ରିୟ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ନାୟକଙ୍କ ସମେତ ବିଭାଗର ସମସ୍ତ କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିଲେ।
