ଲୁକାୟିତ ପ୍ରତିଭାର ଅନନ୍ୟ ନିଦର୍ଶନ: ରଶ୍ମିତା ମିଶ୍ରଙ୍କ ଲିପ୍ପନ କ୍ରାଫ୍ଟ
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା: ଶିଳ୍ପୀ ପ୍ରତିଭା ଏକ ଅଲୌକିକ ଶକ୍ତି। ଶିଳ୍ପୀଙ୍କ ହାତର ସ୍ପର୍ଶରେ କାଠ, ପଥର ଓ ମାଟି ଭଳି ନିର୍ଜୀବ ବସ୍ତୁ ଜୀବନ୍ତ ହୋଇଉଠେ। ଅନ୍ତର୍ନିହିତ କଳା, ସାଧନା ଓ ସୃଜନଶୀଳତା ହିଁ ଜଣେ ଶିଳ୍ପୀଙ୍କ କୃତିକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ। କିନ୍ତୁ ଅନେକ ପ୍ରତିଭାବାନ କଳାକାର ନିଜର ବ୍ୟସ୍ତ ଜୀବନ ମଧ୍ୟରେ କଳାକୁ ଲୋକଲୋଚନକୁ ଆଣିପାରନ୍ତି ନାହିଁ।
କଳାର ସହର କଳାହାଣ୍ଡିର ଭବାନୀପାଟଣା ତାରିଣୀ ମନ୍ଦିର ରାସ୍ତାରେ ବସବାସ କରୁଥିବା ସିତାଂଶୁ ମିଶ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ରଶ୍ମିତା ମିଶ୍ର ଏଭଳି ଜଣେ ଲୁକାୟିତ ପ୍ରତିଭାର ଅଧିକାରିଣୀ। ଜଣେ ସୁଗୃହିଣୀ ଭାବେ ପରିବାରର ଦାୟିତ୍ୱ ସମ୍ପାଦନ କରିବା ସହିତ ଅଳ୍ପ କିଛି ଦିନ ହେବ ନିଜ ଅଧ୍ୟବସାୟରେ SS Craft ମାଧ୍ୟମରେ ନିଜ କଳାପ୍ରତିଭାକୁ ପ୍ରକାଶ କରୁଛନ୍ତି।
ଲିପ୍ପନ କ୍ରାଫ୍ଟ ମାଧ୍ୟମରେ କାଠ ପଟା ଉପରେ ମାଟି, ରଙ୍ଗ ଓ କାଚର ଅଳଙ୍କାର ବ୍ୟବହାର କରି ବିଭିନ୍ନ ଦେବାଦେବୀଙ୍କ ଚିତ୍ରକଳା ସହିତ ଗୃହସାଜସଜ୍ଜା ପାଇଁ ଆକର୍ଷଣୀୟ କଳାକୃତି ତିଆରି କରୁଛନ୍ତି। ତାଙ୍କ କାରିଗରୀ କୌଶଳରେ ପ୍ରସ୍ତୁତ ଏହି କଳାକୃତିଗୁଡ଼ିକ ବେଶ ଆକର୍ଷଣୀୟ ହେବା ସହ ଜନାଦୃତି ମଧ୍ୟ ଲାଭ କରୁଛି।
ଶ୍ରୀମତୀ ମିଶ୍ରଙ୍କ ବିଭିନ୍ନ କୃତି ମଧ୍ୟରୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ ଆଧାରିତ କଳାକୃତି ବିଶେଷ ଆକର୍ଷଣ ସୃଷ୍ଟି କରିଛି। ତାଙ୍କ ସୃଜନଶୀଳତା ଓ ନିଖୁଣ କାରିଗରୀକୁ ଦେଖି ଅନେକ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ପ୍ରଶଂସା କରିଛନ୍ତି।
ପରିବାରର ଦାୟିତ୍ୱ ସହିତ ନିଜ କଳାସାଧନାକୁ ଜାରି ରଖି ରଶ୍ମିତା ମିଶ୍ର ଆଜି ଅନେକ ଲୁକାୟିତ ପ୍ରତିଭାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଆଗାମୀ ଦିନରେ ତାଙ୍କ ଏହି କଳାସାଧନା ଆହୁରି ବିକଶିତ ହୋଇ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଆଶା ପ୍ରକାଶ ପାଇଛି।
