*ଶ୍ରାବଣ ଶେଷ ସୋମବାରରେ ବିରିପାଲିରେ ଶ୍ରଦ୍ଧାଳୁଙ୍କ ଭିଡ଼*।
ବରଗଡ : ୨୪/୦୮(ନି ପ୍ର) ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିରିପାଲି ଶୈବପୀଠରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ବିରିପାଲିରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଶ୍ରାବଣ ସୋମବାରକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା। ‘ହର ହର ମହାଦେବ’ ଧ୍ୱନିରେ ଶୈବପୀଠ ପରିସର ପ୍ରକମ୍ପିତ ହୋଇଥିବା ବେଳେ ଶ୍ରଦ୍ଧାଳୁମାନେ ବେଲପତ୍ର, ଫୁଲ, ଦୁଗ୍ଧ ଓ ଜଳ ଅର୍ପଣ କରି ମହାଦେବଙ୍କ ଆଶୀର୍ବାଦ କାମନା କରିଥିଲେ।
ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ଶୈବପୀଠ କମିଟିର ସଭାପତି କରୁଣାକର ସାହୁ, ସମ୍ପାଦକ ମାନସ ପଣ୍ଡା, କୋଷାଧ୍ୟକ୍ଷ ଟୁନୁ ଚନ୍ଦ୍ର ବେହେରା, ପରାମର୍ଶଦାତା ସୁରେଶ ଚାନ୍ଦ ଓ ଧନମାଲି ହାତୀଙ୍କ ସମେତ ଗ୍ରାମର ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ। ଏହି ଅବସରରେ ଶୈବପୀଠ ପରିସରରେ କୀର୍ତ୍ତନ ଧାରା ଅନୁଷ୍ଠିତ ହୋଇଥିଲା। ଭକ୍ତମାନଙ୍କ ପାଇଁ ନରେଶ ଅଗ୍ରୱାଲ ଓ କଂସର ମେହେର ସମାଜ ପକ୍ଷରୁ ଅନ୍ନଛତ୍ର ବ୍ୟବସ୍ଥା କରାଯାଇଥିଲା। ସେହିପରି ଖଇରପାଲି ଗ୍ରାମର ମିଟୁ ମେହେର, ଡଙ୍ଗରମୁଣ୍ଡା ଗ୍ରାମର ଦିଲ୍ଲୀପ ଓ ପ୍ରକାଶ ବେହେରା ଏବଂ ଦହିତା ଗ୍ରାମର ବୋଲବମ୍ ପାର୍ଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ଜଳଖିଆ ବ୍ୟବସ୍ଥା କରାଯାଇଥିଲା। ଶ୍ରାବଣ ମାସର ଶେଷ ସୋମବାରରେ ବିରିପାଲି ଶୈବପୀଠର ଏହି ଭକ୍ତିମୟ ପରିବେଶ ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ସହ ସମଗ୍ର ଅଞ୍ଚଳକୁ ଭକ୍ତିରସରେ ଭିଜାଇ ଦେଇଥିଲା।
