ବୃଦ୍ଧି ପାଉଛି ଚିନି ଦର
ଖାଉଟି ମୁଣ୍ଡରେ ଚଡ଼କ
ବେଲଗୁଣ୍ଠା : 24/08/26-:(ଶିବରାମ ଚୌଧୁରୀ )-ଗତ କିଛି ଦିନ ହେଲା ବେଲଗୁଣ୍ଠା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ରୂପେ ପରିଚିତ ଚିନିଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି। କେବେ ଏହି ଚିନି ଦର ବୃଦ୍ଧିରେ ବ୍ରେକ୍ ଲାଗିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗତ କିଛି ଦିନ ତଳେ ବେଲଗୁଣ୍ଠା ଅଞ୍ଚଳରେ ଖୋଲା ବଜାରରେ ଚିନିଦର କିଲୋ ପ୍ରତି ୪୫ ରୁ ୪୮ ଟଙ୍କାରେ ବିକ୍ରି ହେଉଥିଲା ବେଳେ ଗତ ୨ ଦିନ ହେଲା ଏହି ଦର ବୃଦ୍ଧି ପାଇ ପ୍ରାୟ ୭୦ ରୁ ୭୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। ଆଗକୁ ପାର୍ବଣ ଋତୁ ଥିବାବେଳେ ଏବେଠୁ ଚିନି ଦର ଉପର ମୁହାଁ ହେବାରେ ଲାଗିଥିବା ଯୋଗୁଁ ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ସାଧାରଣ ଜନତା ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳୁଛି | ଆଗକୁ ରାକ୍ଷୀ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ଦଶହରା, କାଳୀପୂଜା ଭଳି ବଡ ବଡ ପର୍ବ ରହିଛି। ଏହି ସମୟରେ ମିଠାର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ। ପାର୍ବଣ ସମୟରେ ଚିନିଦରକୁ ନେଇ ନାନା ସମସ୍ୟା ଦେଖାଦେବାର ଯଥେଷ୍ଟ ଆଶଙ୍କା ରହିଛି | ସବୁଦିନିଆ ବ୍ୟବହୃତ ଚିନିର ଦରକୁ ନେଇ ବେଲଗୁଣ୍ଠା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ଖାଉଟିଙ୍କ ମଧ୍ୟରେ ଚିନ୍ତା ବଢିବାରେ ଲାଗିଛି । ରାତି ପାହିଲେ ହାଣ୍ଡିଶାଳକୁ ଘାରୁଛି ମହଙ୍ଗା ମାଡର ଚିନ୍ତା | ବୋଡ଼େନ ଓ ଖଡ଼ିଆଳ ଅଞ୍ଚଳର ପିଆଜର ଦର ବୃଦ୍ଧି ପରେ ଏବେ ଚିନିର ଅହେତୁକ ଦର ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ମଧ୍ଯ ଚିନି ଦର ସହରାଞ୍ଚଳ ଠାରୁ ଅଧିକ ଥିବା ଆଲୋଚିତ ହେଉଛି। ଚିନିଦର ବୃଦ୍ଧି ସିଧାସଳଖ ପ୍ରଭାବ ଅଧିକାଂଶ ଚା ଦୋକାନୀ ଉପରେ ପଡିଥିବା ଜଣାପଡିଛି । ଗତ କିଛି ଦିନ ହେଲା ଚିନିର ଦର ଆକାଶଛୁଆଁ ହେବାରେ ଲାଗିଥିବା ଯୋଗୁଁ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କୁ ଏହି ଦର ବାଧୁଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବର୍ଦ୍ଧିତ ଚିନିଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି।
