ଓଡ଼ିଶାର ସ୍ୱାର୍ଥ ପାଇଁ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଆଣିବାକୁ ଆହ୍ୱାନ: ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର, ତା. ୨୩.୮.୨୦୨୬: ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଆର୍ଥିକ ସ୍ୱାର୍ଥର ସୁରକ୍ଷା ପାଇଁ ସଂସଦରେ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ (Private Member’s Bill) ଆଣିବାକୁ ପଦକ୍ଷେପ ନେବା ସହ ଓଡ଼ିଶା ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବାକୁ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି l ମଞ୍ଚ ପକ୍ଷରୁ ଜାରି ଏକ ପ୍ରେସ୍ ବାର୍ତ୍ତାରେ କୁହାଯାଇଛି ଯେ, ଏମଏମଡିଆର୍ ,୧୯୫୭ର ସାମ୍ପ୍ରତିକ ସଂଶୋଧନ ଫଳରେ ଓଡ଼ିଶା ସମେତ ଖଣି ଓ ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟଗୁଡ଼ିକର ରାଜସ୍ୱ ଏବଂ ଆର୍ଥିକ ସ୍ୱାଧୀନତା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଓଡ଼ିଶାର ସ୍ୱାର୍ଥକୁ ଯଥେଷ୍ଟ ଗୁରୁତ୍ୱ ନଦେଇ ଏହି ବିଲ୍କୁ ଅତ୍ୟନ୍ତ ତରବରିଆ ଭାବେ ସଂସଦରେ ପାରିତ କରାଯାଇଥିବା ନେଇ ମଞ୍ଚ ଗଭୀର ଉଦ୍ବେଗ ପ୍ରକାଶ କରିଛି। ମଞ୍ଚ ଆବାହକ ତଥା ଆଇନଜୀବୀ ଅବନୀ ଗୟା କହିଛନ୍ତି ଯେ, ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ଖଣିଜ ସମୃଦ୍ଧ ରାଜ୍ୟ। ନୂତନ ସଂଶୋଧିତ ଆଇନ ଫଳରେ ରାଜ୍ୟ ଭବିଷ୍ୟତରେ ନିଜ ଖଣିଜ ସମ୍ପଦ ଉପରେ ଅତିରିକ୍ତ କର ବା ସେସ୍ ଲାଗୁ କରିବାର ଅଧିକାର ସୀମିତ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ଓଡ଼ିଶାର କୋଟି କୋଟି ଟଙ୍କାର ସମ୍ଭାବ୍ୟ ରାଜସ୍ୱ କ୍ଷତି ହେବା ସହ ରାଜ୍ୟର ଆର୍ଥିକ ସ୍ୱାଧୀନତା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି l ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର ଖଣିଜ ସମ୍ପଦରୁ ରାଜ୍ୟ ନିଜସ୍ୱ ରାଜସ୍ୱ ଆଦାୟ କରିବା ସମ୍ପର୍କିତ ସାମ୍ବିଧାନିକ ଅଧିକାର ସୀମିତ ହେବାର ଆଶଙ୍କାକୁ ଗୁରୁତ୍ୱର ସହ ବିଚାର କରାଯିବା ଆବଶ୍ୟକ। ଏଣୁ ଓଡ଼ିଶା ବିଧାନସଭାରେ ଦଳମତ ନିର୍ବିଶେଷରେ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ରାଜ୍ୟର ସ୍ୱାର୍ଥ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯିବା ଉଚିତ। ମାନବ ଅଧିକାର ସୁରକ୍ଷା ମଞ୍ଚ ଓଡ଼ିଶାର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଏହି ପ୍ରସଙ୍ଗରେ ଏକତ୍ରିତ ହୋଇ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ସଂସଦରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆହ୍ୱାନ କରିଛି। ବିଶେଷକରି ସାଂସଦମାନଙ୍କ ମାଧ୍ୟମରେ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଆଣି ସମ୍ପୃକ୍ତ ଆଇନର ପୁନଃସମୀକ୍ଷା ଓ ଓଡ଼ିଶା ସମେତ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକର ଆର୍ଥିକ ଅଧିକାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମଞ୍ଚ ଦୃଢ଼ ଦାବି କରିଛି l ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ନ୍ୟାୟସଙ୍ଗତ ଆର୍ଥିକ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ସମସ୍ତ ଜନପ୍ରତିନିଧି ଏବଂ ରାଜନୈତିକ ଦଳଙ୍କ ସାମୂହିକ ଦାୟିତ୍ୱ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି।
