ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଭାଙ୍ଗମୁଣ୍ଡା ଅବହେଳିତ, GMAPV ସ୍ଥାପନ ପାଇଁ ଦାବି
ଭାଙ୍ଗମୁଣ୍ଡାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବରଗଡ :, ୧୭/୦୮(ନି ପ୍ର )(ଯୋଗେନ୍ଦ୍ର ସାହୁ ): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଲପାଟ ଗ୍ରାମ ପଞ୍ଚାୟତର ଭାଙ୍ଗମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (GMAPV) ସ୍ଥାପନ ଦାବି ଜୋର ଧରିଛି। ଏହି ଦାବିକୁ ନେଇ ଗ୍ରାମବାସୀ ଓ ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ଼ ଏବଂ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଭାଙ୍ଗମୁଣ୍ଡା ଗ୍ରାମରେ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି। କିନ୍ତୁ ପଞ୍ଚମ ଶ୍ରେଣୀ ପରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ଗ୍ରାମକୁ ଯିବାକୁ ପଡ଼ୁଛି। ଦୁର୍ଗମ ରାସ୍ତା, ହାତୀ ଚଳାଚଳ ପଥ ଏବଂ ଯାତାୟାତର ବିଭିନ୍ନ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ନିୟମିତ ଶିକ୍ଷା ବାଧାପ୍ରାପ୍ତ ହେଉଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଅନ୍ୟ ଗ୍ରାମକୁ ଯିବା ପାଇଁ ପ୍ରାୟ ୩ରୁ ୪ କିଲୋମିଟର ଦୁର୍ଗମ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିବା ବେଳେ ସଡ଼କ ମାର୍ଗରେ ଦୂରତା ପ୍ରାୟ ୬ କିଲୋମିଟର ହୋଇଯାଉଛି। ଏଭଳି ପରିସ୍ଥିତିରେ ଅନେକ ଛାତ୍ରଛାତ୍ରୀ ପଞ୍ଚମ ଶ୍ରେଣୀ ପରେ ଶିକ୍ଷା ଜାରି ରଖିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ଦାବି ଅନୁଯାୟୀ, ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପ୍ରାୟ ୫୦ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଭାବେ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି।
ସମସ୍ତ ଆବଶ୍ୟକ ଯୋଗ୍ୟତା ଓ ଭିତ୍ତିଭୂମି ଥାଇ ମଧ୍ୟ ଭାଙ୍ଗମୁଣ୍ଡାକୁ ଶିକ୍ଷା କ୍ଷେତ୍ରରେ ଅବହେଳା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଗଲପାଟ ଗ୍ରାମ ପଞ୍ଚାୟତର ଅନ୍ୟ ଗ୍ରାମଗୁଡ଼ିକରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର ବ୍ୟବସ୍ଥା ଥିବା ବେଳେ ଭାଙ୍ଗମୁଣ୍ଡାରେ ଏପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ଶ୍ରେଣୀ ଅନ୍ତର୍ଭୁକ୍ତ ନକରାଯିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଭାଙ୍ଗମୁଣ୍ଡା ବିଦ୍ୟାଳୟ ନିକଟରେ ପ୍ରାୟ ୩ ଏକର ଜମି ଉପଲବ୍ଧ ଥିବା ସହ ଆଖପାଖରେ ମଧ୍ୟ ପର୍ଯ୍ୟାପ୍ତ ସରକାରୀ ଜମି ରହିଥିବା ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଛାତ୍ରଛାତ୍ରୀ ଓ ଶିକ୍ଷାର ଆବଶ୍ୟକତା ମଧ୍ୟ ରହିଛି। ତେଣୁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ କାହିଁକି ଭାଙ୍ଗମୁଣ୍ଡାକୁ ଅବହେଳା କରାଯାଉଛି, ତାହାର ଯାଞ୍ଚ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ମୁଖ୍ୟ ଦାବି ହେଉଛି—ପ୍ରଶାସନ ତୁରନ୍ତ ଭାଙ୍ଗମୁଣ୍ଡାରେ ସ୍ଥଳ ପରିଦର୍ଶନ କରି ଉପଲବ୍ଧ ଜମିର ବାସ୍ତବ ସ୍ଥିତି ଯାଞ୍ଚ କରୁ। ଏଥିସହ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଗ୍ରାମର ଭୌଗୋଳିକ ଓ ଶିକ୍ଷାଗତ ଆବଶ୍ୟକତାକୁ ବିଚାର କରି ଭାଙ୍ଗମୁଣ୍ଡାକୁ GMAPV ସ୍ଥାପନ ପାଇଁ ପ୍ରାଥମିକତା ଦିଆଯାଉ।
ଏହି ଦାବିକୁ ନେଇ ଗ୍ରାମର ଅଭିଭାବକ ଓ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମର ଛାତ୍ରଛାତ୍ରୀ ଯେପରି ନିଜ ଗ୍ରାମରେ ଗୁଣାତ୍ମକ ଶିକ୍ଷା ପାଇପାରିବେ, ସେଥିପାଇଁ ପ୍ରଶାସନ ଦାବିଟିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।
ତେବେ ଦାବି ପୂରଣ ଦିଗରେ ଶୀଘ୍ର ପଦକ୍ଷେପ ନିଆନଗଲେ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଓ ଅଭିଭାବକମାନେ ଚେତାବନୀ ଦେଇଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ ଗ୍ରାମର ସଭାପତି ବିପିନ ସାହୁ, ୱାର୍ଡ ସଭ୍ୟ ସୁଦାମ ଧରୁଆ, ଶିକ୍ଷାବିତ୍ ଛବିଲାଲ ଦୀପ, ଗଜପତି ସାହୁ, କୃଷ୍ଣଚନ୍ଦ୍ର ସାହୁ, ପଦ୍ମନ ସାହୁ, ବକୁଳ ସାହୁ, ଟିକେମଣୀ ସାହୁ, ସୁଶାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ l
