*ସିନାପାଲି ଘାଟମାଲ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର; ସରକାରୀ ଯୋଜନାର ସୁଯୋଗ ନେଇ ନିଜ ଅଞ୍ଚଳରେ କାମ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୦/୦୮:
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ଗ୍ରାମ ପଞ୍ଚାୟତର ତାଲାକୋଟ ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ସିନାପାଲି ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝୀ, ସ୍ଥାନୀୟ ସରପଞ୍ଚ ଟେକରାମ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ସେଗୁଡ଼ିକର ସୁଯୋଗ ସମ୍ପର୍କରେ ସଚେତନ କରିଥିଲେ। ବିଶେଷକରି ପ୍ରବାସୀ ଶ୍ରମିକମାନେ ବାହାର ରାଜ୍ୟକୁ ଯାଇ କାମ କରିବା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ସ୍ଥାନୀୟ ସ୍ତରରେ ଜୀବିକାର ସୁଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଓ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ନବଜାତ କନ୍ୟାଶିଶୁ ତୃପ୍ତିମୟୀ ମାଝୀଙ୍କୁ କୋଳରେ ଧରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିଶୁର ପିତାମାତାଙ୍କୁ ଉପହାର ଓ ବୃକ୍ଷଚାରା ପ୍ରଦାନ କରିଥିଲେ। ସେହିପରି ଗର୍ଭବତୀ ମହିଳାମାନଙ୍କୁ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଓ ଉପହାର ବଣ୍ଟନ କରାଯାଇଥିଲା।ଉଦ୍ବୋଧନ ଦେଇ ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରବାସୀ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ଯାଇ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କାମ କରିବା ପରିବର୍ତ୍ତେ ସରକାରଙ୍କ ଯୋଜନାର ସୁଯୋଗ ନେଇ ସ୍ଥାନୀୟ ସ୍ତରରେ ଜୀବିକା ସୃଷ୍ଟି କରିବାକୁ ଆହ୍ୱାନ ଜଣାଇଥିଲେ। VBG-RAM-G କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ପରିବାରଗୁଡ଼ିକ ନିଜ ଅଞ୍ଚଳରେ କାମ କରି ଆୟ ବୃଦ୍ଧି କରିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଥିଲେ।ଜିଲ୍ଲାପାଳ ଗ୍ରାମବାସୀଙ୍କୁ ନିଜ ପିଲାମାନଙ୍କୁ ନିୟମିତ ଭାବେ ବିଦ୍ୟାଳୟକୁ ପଠାଇ ଶିକ୍ଷିତ ଓ ମେଧାବୀ କରିବାକୁ ପରାମର୍ଶ ଦେଇଥିଲେ। ପିଲାମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ହେଲେ ଭବିଷ୍ୟତରେ ପରିବାର ଓ ସମାଜର ଅନେକ ସମସ୍ୟା ଦୂର ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହ ପଞ୍ଚାୟତରେ ସମସ୍ତ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସହ ଗ୍ରାମକୁ ଏକକ ବ୍ୟବହୃତ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ସେ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ।ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଜଙ୍ଗଳରୁ ସଂଗୃହିତ ପତ୍ରରେ ଥାଳି ଓ ଦନା ପ୍ରସ୍ତୁତ କରାଯାଇଥିବାରୁ ଜିଲ୍ଲାପାଳ ଏହାର ପ୍ରଶଂସା କରିଥିଲେ। ଏପରି ପରିବେଶ ଅନୁକୂଳ ପଦକ୍ଷେପ ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର କମାଇବା ସହ ପରିବେଶର ସନ୍ତୁଳନ ରକ୍ଷାରେ ସହାୟକ ହେବ ବୋଲି ସେ କହିଥିଲେ।ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଣିରାମ ଜଗତ ଓ ପଙ୍କଜ ହଂସଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ କରାଯାଇ ପକ୍ଷୀମାନଙ୍କ ସୁରକ୍ଷା ଓ ଜୈବ ବିବିଧତା ସଂରକ୍ଷଣ ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
