*ପାଞ୍ଚ ଦଫା ଦାବି ନେଇ ବସ୍ତା ପୂର୍ତ୍ତ ବିଭାଗ ଅଫିସ ସମ୍ମୁଖରେ ସାମ୍ବାଦିକ ସମୂହଙ୍କ ଧାରଣା*
(ଦୁଇ ଦିନରେ ରାସ୍ତା ମରାମତି, ୫ ରୁ ୭ ଦିନ ମଧ୍ୟରେ ଅନ୍ୟ ଦାବି ପୂରଣ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହେଲା ଧାରଣା)
ବସ୍ତା: (ନି.ପ୍ର) ସେଖ ଆଜାରୁଦ୍ଦିନ
ଲଗାଣ ବର୍ଷା ଓ ବନ୍ୟା ପରେ ବସ୍ତା ଅଞ୍ଚଳର ବିଭିନ୍ନ ରାସ୍ତାର ଦୁରବସ୍ଥାକୁ ନେଇ ଆଜି ବସ୍ତା ପୂର୍ତ୍ତ ବିଭାଗ ଅଫିସ ସମ୍ମୁଖରେ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ଓ ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଥିବା ବିଭିନ୍ନ ରାସ୍ତା ଏବଂ ଭିତ୍ତିଭୂମିର ଉନ୍ନତି ଦାବିରେ ସାମ୍ବାଦିକମାନେ ଏକତ୍ରିତ ହୋଇଥିଲେ। ବସ୍ତାରୁ ଗାନ୍ଧୀଛକ ଦେଇ ବାଲିଆପାଳ ଯାଉଥିବା ମୁଖ୍ୟ ରାସ୍ତାଟି ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗର୍ତ୍ତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅଭିଯୋଗ ରହିଛି। ଏନେଇ ସାମ୍ବାଦିକମାନେ ବାରମ୍ବାର ଖବର ପ୍ରକାଶ କରିବା ସହ ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଦୀର୍ଘଦିନ ଧରି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିଲା। ଏହା ସହିତ ଗାନ୍ଧୀଛକରୁ ବସ୍ତା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଶୁଖିଯାଇଥିବା ବଡ଼ ବଡ଼ ପଟାସ ଗଛକୁ ତୁରନ୍ତ କାଟିବା, ବସ୍ତା ଛକରେ ଆଲୋକୀକରଣ ସହିତ CCTV କ୍ୟାମେରା ସ୍ଥାପନ ଏବଂ ମାଥାନୀ ଛକରେ ଦୀର୍ଘ ୮ ବର୍ଷ ଧରି ନିର୍ମାଣାଧୀନ ରହିଥିବା ପୋଲର କାର୍ଯ୍ୟ ତୁରନ୍ତ ଶେଷ କରିବା ଭଳି ଦାବି ଉଠାଯାଇଥିଲା। ଧାରଣା ଚାଲିଥିବା ପ୍ରାୟ ଚାରି ଘଣ୍ଟା ପରେ ପୂର୍ତ୍ତ ବିଭାଗର ଏସ୍ଡିଓ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଦୁଇ ଦିନ ମଧ୍ୟରେ ରାସ୍ତାର ରିପେୟାର କାର୍ଯ୍ୟ ଶେଷ କରିବା ସହ ୫ରୁ ୭ ଦିନ ମଧ୍ୟରେ ଅନ୍ୟ ସମସ୍ତ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପରେ ସାମ୍ବାଦିକ ସମୂହ ଧାରଣା ପ୍ରତ୍ୟାହାର କରିଥିଲେ।
ଏହି ଧାରଣାକୁ ସମର୍ଥନ କରି ସମାଜସେବୀ ସୁମନ୍ତ କୁମାର ଜେନା, କଂଗ୍ରେସ ଜିଲ୍ଲା ଉପସଭାପତି ସୁଧାଂଶୁ ଶେଖର ଜେନା, ବ୍ଲକ ସଭାପତି ସତ୍ୟନାରାୟଣ ଗୁପ୍ତା, ରବୀନ୍ଦ୍ର ଦାସ, ପ୍ରିୟବ୍ରତ ମହାପାତ୍ରଙ୍କ ସମେତ ବହୁ ବ୍ୟକ୍ତି ସାମିଲ ହୋଇ ସାମ୍ବାଦିକମାନଙ୍କ ଦାବିକୁ ସମର୍ଥନ ଜଣାଇଥିଲେ। ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ଦିଆଯାଇଥିବା ସମୟସୀମା ମଧ୍ୟରେ ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ଉପରେ ବସ୍ତାବାସୀଙ୍କ ନଜର ରହିଛି।
