ଓଡ଼ିଶାର ପ୍ରଥମ ମହିଳା ବିଧାୟିକା, ପ୍ରଥମ ମହିଳା ବାଚସ୍ପତି
ସରଳା ଦେବୀ
(୯ ଅଗଷ୍ଟ ୧୯୦୪ – ୪ ଅକ୍ଟୋବର ୧୯୮୬ )
ଓଡ଼ିଶାରେ ନାରୀନେତ୍ରୀ ରମାଦେବୀ, ମାଳତୀ ଚୌଧୁରୀ, ଗୋଦାବରୀ ଦେବୀ ପ୍ରମୁଖଙ୍କ ସହ ଭାରତର ସ୍ୱାଧୀନତା ଓ ନାରୀ ସ୍ୱାଧୀନତା ପାଇଁ ଲଢ଼ିଥିବା ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧୯୪୧ ମସିହାରେ କଂଗ୍ରେସ ତରଫରୁ ବ୍ୟକ୍ତିଗତ ସତ୍ୟାଗ୍ରହରେ ଓଡ଼ିଶାରୁ ଗାନ୍ଧିଜୀ, ସରଳା ଦେବୀଙ୍କୁ ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଥିଲେ । ସେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ୬ ମାସ କାଳ କାରାବରଣ କରିଥିଲେ । ୧୯୫୫ ମସିହା ସୀମା ଆନ୍ଦୋଳନ ଓ ୧୯୫୮ ମସିହା ଛାତ୍ର ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ | ସତ୍ୟାଗ୍ରହରେ ଭାଗ ନେଇଥିବା ସେ ପ୍ରଥମ ଓଡ଼ିଆ ମହିଳା । ଇଞ୍ଚୁଡ଼ି ଠାରେ ସେ ଲବଣ ସତ୍ୟାଗ୍ରହରେ ଭାଗ ନେଇଥିଲେ ଓ ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଜେଲଦଣ୍ଡ ଭୋଗ କରିଥିଲେ ।
ସରଳା ଦେବୀ ୧୯୦୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ । ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ସରଳା ପରିସ୍ଥିତିରେ ହେଲେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦ କାନୁନଗୋଙ୍କ ଝିଅ ଓ ତାଙ୍କରି ତତ୍ତ୍ୱାବଧାନରେ କାଟିଥିଲେ। ଘରର ମୁରବୀ ମାନେ ତାଙ୍କର ହାଇସ୍କୁଲ ପଢ଼ା ବନ୍ଦ କରି ଦେଇଥିଲେ, ମାତ୍ର ହେମନ୍ତ କୁମାରୀ ଜଣେ ଖ୍ରୀଷ୍ଟିଆନ୍ ଶିକ୍ଷୟିତ୍ରୀ ନିଯୁକ୍ତ କରି ତାଙ୍କର ଇଂରାଜୀ ଓ ବଙ୍ଗଳା ପଢ଼ିବାର ବ୍ୟବସ୍ଥା କରିଦେଲେ । ଶାନ୍ତ, ସରଳ, ଦୃଢମନା ଓ ସ୍ପଷ୍ଟବାଦିନୀ ସରଳା ପିଲାବେଳୁ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଥରେ ଏକ ପୁରାଣରେ “ନାରୀ ନର୍କର ଦ୍ୱାର” ବୋଲି ଲେଖାଥିବା ଜାଣିଲା ପରେ ଓ ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଲିଖିତ ଉପନ୍ୟାସ, କବିତା ଓ ବତ୍କୃତା ପ୍ରଭାବରେ କରିଥିଲା ସେ ନାରୀ ମାନଙ୍କ ଭିତରେ ଥିବା ଅଜ୍ଞାନତା ଓ କୁସଂସ୍କାର ଦୂର କରିବା ପାଇଁ ମନେ ମନେ ସଂକଳ୍ପ ନେଇଥିଲେ । ରବୀନ୍ଦ୍ରନାଥଙ୍କ ବାଣୀ “ନ ଜାଗିଲେ ସବୁ ଭାରତ ଲଳନା, ଏ ଭାରତ ଆମର ଜାଗେନା” ତାଙ୍କ ପାଇଁ ଚରମ ବାଣୀ ହୋଇସାରିଥିଲା ।
ଜଗତସିଂହପୁର ଅନ୍ତର୍ଗତ ଚାଟରା ଗ୍ରାମର ଭାଗୀରଥି ମହାପାତ୍ରଙ୍କ ସହିତ ସରଳା ଦେବୀଙ୍କର ବିବାହ ସମ୍ପାଦିତ ହେଲା । ଅଭିଜାତ ପରିବାରରେ ଜନ୍ମ ହୋଇଥିବା ସରଳା, ଜମିଦାର ପରିବାରକୁ ବୋହୁ ହୋଇ ଯାଇଥିଲେ ମଧ୍ୟ ତାଙ୍କ ମନରେ ଗର୍ବ ନଥିଲା । ସ୍ୱାମୀ ଭାଗିରଥି ମହାପାତ୍ର ଜଣେ ସ୍ୱାଧୀନଚେତା ବ୍ୟକ୍ତି ଥିଲେ ଓ ସେ ପତ୍ନୀ ସରଳାଙ୍କୁ ସାହାଯ୍ୟ କରିଲେ । ନିଜର ଦୃଢ଼ ଆତ୍ମବିଶ୍ୱାସ ଓ ସ୍ୱାମୀଙ୍କର ପୂର୍ଣ୍ଣ ସହଯୋଗ ତାଙ୍କୁ ପ୍ରେରଣା ଯୋଗାଇଲା । ପ୍ରତିଦିନ ଘର କାମ ସାଙ୍ଗକୁ ଖବରକାଗଜ ପଢ଼ିବା ତାଙ୍କର ନିୟମିତ ଅଭ୍ୟାସ ଥିଲା । ସେ ଉଚ୍ଚଶିକ୍ଷିତା ହୋଇନଥିଲେ ମଧ୍ୟ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଦେଶର ସାମାଜିକ ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ସଚେତନ କରି ଦେଇଥିଲା । ନିଷ୍ଠୁର ଇଂରେଜ ଶାସନରୁ ନିଜ ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାଲାଗି ସଂକଳ୍ପବଦ୍ଧ ହେଲେ ଓ ସେ କୁଳବଧୂର ପରଦା ଆଡେଇ ଦେଇ ପଦାକୁ ବାହାରି ଆସିଥିଲେ । ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ସେ ଯୋଗଦେଲେ । ଏତେ ବଡ଼ ଶୋଭାଯାତ୍ରା ସହର ପରିକ୍ରମା କଲାବେଳେ ସେ ଥିଲେ ଏକମାତ୍ର ମହିଳା |
୧୯୨୦ ମସିହା ଅଗଷ୍ଟ ପହିଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ସରକାରୀ କୋର୍ଟ କଚେରୀ ବର୍ଜନ ଏହି ଆନ୍ଦୋଳନରେ ଗୋଟିଏ କାର୍ଯ୍ୟକ୍ରମ ଥିଲା । ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ହେତୁ ଓକିଲାତି ଛାଡି ଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ।୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀ ମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନମାନିବାକୁ ଉଦବୋଧନ ଦେଲେ। ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ। ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନ କଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଗୋପବନ୍ଧୁ ଦାସ ଚାହୁଁ ଥିଲେ । ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣ ରକ୍ଷା କରି ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କ ସହିତ ପତ୍ନୀ କସ୍ତୁରବା ମଧ୍ୟ ଆସିଥିଲେ । ସେମାନଙ୍କ ଆଗମନ ହେତୁ କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରା ଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ । ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳାମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଏହି ସଭାରେ ଗାନ୍ଧିଜୀ ହିନ୍ଦୀରେ ଯେଉଁ ଭାଷଣ ଦେଇ ଥିଲେ, ସରଳା ଦେବୀ ତାକୁ ଓଡ଼ିଆରେ ଅନୁବାଦ କରି ଅନ୍ୟ ମାନଙ୍କୁ ବୁଝାଉ ଥିଲେ । ଗାନ୍ଧିଜୀଙ୍କ ଆହ୍ୱାନରେ ବହୁ ମହିଳା ନିଜର ଅଳଙ୍କାର ମାନ ଖୋଲି ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ । ପାଖରେ ଥିବା ସବୁ ଟଙ୍କା ପଇସା ମଧ୍ୟ ଦେଇଦେଇଥିଲେ । ସେମାନଙ୍କ ସହ ସରଳାଦେବୀ ମଧ୍ୟ ନିଜର ସ୍ୱର୍ଣ୍ଣ ଅଳଙ୍କାର ଦାନ କରିବା ସହ ଭବିଷ୍ୟତରେ ଆଉ ଅଳଙ୍କାର ପିନ୍ଧିବେ ନାହିଁ ବୋଲି ଘୋଷଣା କଲେ । ସେହି ଦିନଠାରୁ ସେ ସ୍ୱରାଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ପଣ କଲେ ।
୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷଣା ହେବାପରେ ପ୍ରାଦେଶିକ ସ୍ୱାୟତ୍ତ ଶାସନର ଚଳଣିରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଠିଆ କରାଯାଇଥିଲା ଏବଂ ସେ ସମୟରେ ସରଳା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗ ନେଇ ବିଧାନ ସଭାକୁ ନିର୍ବାଚିତ ହେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ପ୍ରଥମ ମହିଳା ବିଧାୟିକା । ବିଧାନ ସଭାରେ ବାଲ୍ୟ ବିବାହ ଆଇନ୍ର ସଂଶୋଧନ ଓ ପୋଇଲି ପ୍ରଥାକୁ ଉଠାଇ ଦେବା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରିବାକୁ ବିଲ୍ ଆଗତ କରିଥିଲେ ଓ ସମାଜରେ ପ୍ରଚଳିତ କୁପ୍ରଥା ବିରୋଧରେ ବିଧାନ ସଭାରେ ସ୍ୱର ଉଠାଇଥିଲେ । ବିଧାୟିକା ହେବା ଫଳରେ ଆଇନ୍ ବଳରେ ଏହି ପ୍ରଥାରକୁ ଉଠାଇ ଦେବା ପାଇଁ ସେ ଦୃଢ଼ ପରିକର ହୋଇଥିଲେ । ତାଙ୍କ ଉଦ୍ୟମ ଫଳରେ ଏହି ବିଲ୍ ବିଧାନ ସଭାରେ ଗୃହୀତ ହୋଇଥିଲା । ସେ ବିଧାନ ସଭାରେ ଗୋଟିଏ ଦିନ ବାଚସ୍ପତି ଦାୟିତ୍ୱ ତୁଲାଇ ଥିଲେ ।
ବ୍ରିଟିଶ୍ ଆମଳରେ ବିଧାନ ସଭାରେ ସମସ୍ତ କାର୍ଯ୍ୟ ଇଂରାଜୀ ଭାଷାରେ ହେଉଥିବା ବେଳେ, ସରଳା ବାଚସ୍ପତି ଆସନରେ ବସି ସେଦିନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ନିର୍ଧାରଣ କରିବାର ନିର୍ଦ୍ଦେଶ ଦେଇଥିଲେ ।ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା । ୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦ୍ଦେଶକ ଥିଲେ । ଓଡ଼ିଆର ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ନାରୀ ମାନଙ୍କୁ ଏକାଠି କରିବାପାଇଁ ସରଳା ଦେବୀ “ଉତ୍କଳ ମହିଳା ସମ୍ମିଳନୀ” ନାମକ ସଂଗଠନ ଗଠନ କରିଥିଲେ ।ସେହି ଅଧିବେଶନରେ ହିଁ ଉତ୍କଳ ମହିଳା ସମ୍ମିଳନୀ, “ନିଖିଳ ଭାରତୀୟ ମହିଳା ସଂଘ”ର ଶାଖା ରୂପେ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିଲା । ୧୯୨୪ ମସିହାର କଟକ ନାରୀ ସମ୍ମିଳନୀରେ ଯୋଗଦେବା ପରେ ସେ କଟକ ସ୍ୱରାଜ୍ୟ ଆଶ୍ରମର ମହିଳା ସଭା ଓ ସଂଗଠନ କାମରେ ଲାଗି ପଡିଥିଲେ ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ କରିବା ପାଇଁ ଡାକରା ଦେଲେ |
ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ “ଉଦ୍ଯୋଗ ମନ୍ଦିର” ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗି ପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ଶ୍ରୀମତୀ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଲବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗିଥିଲେ । ଯେତେବେଳେ ସରଳା ଦେବୀ ନିଜେ ଲବଣ ଆଇନ୍ ଭାଙ୍ଗିବାର ଘୋଷଣା କଲେ, ସେତେବେଳେ ସରକାରଙ୍କ ଚେତନା ପଶିଲା । ଦିନେ ସେ “ମାନ୍ଦ୍ରାଜ୍ ମେଲ୍”ରେ ଯାଉଥିଲେ । ହଠାତ୍ ଏହା ଗୋଟିଏ ନିର୍ଜନ ସ୍ଥାନରେ ଠିଆ ହୋଇଗଲା । କିନ୍ତୁ ଏହି ରେଳଟି ବଡ଼ ବଡ଼ ଷ୍ଟେସନ୍ ଛଡା ଆଉ କୋଉଠି ଅଟକେ ନାହିଁ। ସେଦିନ ଗାଡି ଅଟକାଇ ବୋଲି ପୋଲିସ୍ ଜଣେ ଯୁବତୀଙ୍କୁ ରେଳରୁ ଓହ୍ଲାଇ, ପୋଲିସ୍ ଗାଡ଼ିରେ ବସାଇ ନେଇ ଗଲେ । ସେ ଯୁବତୀ ଜଣକ ସରଳା ଦେବୀ । ପରେ ତାଙ୍କୁ ସୁଦୂର ଭେଲୋର୍ ଜେଲ୍ ପଠାଯାଇଥିଲା । ସେ ଥିଲେ କାରାବରଣ କରିଥିବା ଓଡ଼ିଶାର ପ୍ରଥମ ନାରୀ ।
୬ ମାସ ପରେ ସେହି ବର୍ଷ ଡିସେମ୍ବର ୮ ତାରିଖ ଦିନ ତାଙ୍କୁ ସେଠାରୁ ଖଲାସ କରା ଯାଇଥିଲା ।
ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ଗଡଜାତ ରାଜା ଓ ଜମିଦାରମାନେ ଇରେଜମାନଙ୍କର ଦୃଢ଼ ସମର୍ଥକ ଥିଲେ । ଜମିଦାରମାନେ ଚାଷୀ ମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ଚଳାଉଥିଲେ । ଚାଷୀମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରିବା ପାଇଁ, ସେମାନଙ୍କ ଦୁଃଖ ସୁଖରେ ଭାଗୀଦାର ହେବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର କର୍ତ୍ତବ୍ୟ ହୋଇଉଠିଥିଲା । ସେଥିପାଇଁ କଂଗ୍ରେସ ଦଳ ଭିତରେ ଗୋଟିଏ ପ୍ରଗତିଶୀଳ ଗୋଷ୍ଠୀ ଲୋକେ “ଉତ୍କଳ କଂଗ୍ରେସ ସାମ୍ୟବାଦୀ ସଂଘ” ନାମରେ ଏକ ନୂଆ ସଂଗଠନ ଗଢିଥିଲେ । ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଭଗବତୀ ଚରଣ ପାଣିଗ୍ରାହୀ ଓ ମାଳତୀ ଚୌଧୁରୀ ପ୍ରମୁଖ ଥିଲେ ଏହି ସଂଘର ପ୍ରତିଷ୍ଠାତା । ଏମାନେ ସମସ୍ତେ କାର୍ଲମାର୍କସ ସାମ୍ୟବାଦୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ଥିଲେ । ଦେଶର ରାଜନୈତିକ ସ୍ୱାଧୀନତା ସହିତ ଲୋକଙ୍କ ଆର୍ଥିକ ସ୍ୱାଧୀନତା କିପରି ଆସିପାରିବ, ସେଥିପାଇଁ ସେମାନେ ଲାଗିପଡିଥିଲେ । ଜମିଦାର ଓ ସାହୁକାର ମାନଙ୍କ ଶୋଷଣରୁ ଚାଷୀମାନଙ୍କୁ ରକ୍ଷା କରିବାପାଇଁ ସେମାନେ ଚାଷୀମାନଙ୍କୁ ଏକାଠି କରୁଥିଲେ । ସରଳା ଦେବୀ କଂଗ୍ରେସ ସାମ୍ୟବାଦୀ କର୍ମୀ ମାନଙ୍କ ସହ ମିଶି ଚାଷୀ ମାନଙ୍କୁ ସଂଗଠିତ କରୁଥିଲେ । ୧୯୩୭ ମସିହା ମେ ମାସରେ ଡେଲାଙ୍ଗଠାରେ ଏକ ଚାଷୀ ସଭା ହୋଇଥିଲା । ଏହି ସଭାରେ ସେ ତତ୍କାଳୀନ ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ । ବିଧାନ ସଭା ମଧ୍ୟରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଖଜଣା ଆଦାୟ ବନ୍ଦ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇ ଥିଲେ । ଲୋକେ ଯେପରି ବନ୍ୟା ଦାଉରୁ ରକ୍ଷା ପାଇବେ ସେଥିପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସରକାରଙ୍କ ପାଖରେ ଦାବି କରିଥିଲେ । ମୋଗଲବନ୍ଦୀର ଜମିଦାରଙ୍କ ଭଳି ଗଡଜାତର ରାଜାମାନେ ମଧ୍ୟ ପ୍ରଜାମାନଙ୍କୁ ବେଠି ଖଟାଇ ନାନା ପ୍ରକାର ଟିକସ ଆଦାୟ କରି ହନ୍ତସନ୍ତ କରୁଥିଲେ । ସରଳା ଦେବୀ ବିଧାନ ସଭା ଭିତରେ ଓ ବାହାରେ ଏହି ଗଡଜାତ ରାଜମାନଙ୍କର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ |
ସରଳା ଦେବୀ ଅଳ୍ପ ବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ “ପରିଚାରିକା” ନାମକ ଗୋଟିଏ ମାସିକ ପତ୍ରିକା କିଛି ବର୍ଷ ପ୍ରକାଶିତ ହୋଇଥିଲା । ଶ୍ରୀମତୀ ବସନ୍ତ କୁମାରୀ ଦେବୀ ଏହି ପତ୍ରିକାର ସମ୍ପାଦିକା ଥିଲେ । ସରୋଜିନୀ ଦେବୀ, କୋକିଳ ଦେବୀ, ପ୍ରମିଳା ସୁନ୍ଦରୀ ଦେଇ, ରମା ସୁନ୍ଦରୀ ଦେଇ, କାଞ୍ଚନ ମଣି ଦେଇ ପ୍ରମୁଖ ବହୁ ମହିଳାଙ୍କ ରଚନା ସେହି ପତ୍ରିକାରେ ପ୍ରକାଶିତ ହୋଇଥିଲା । “ପରିଚାରିକା”ରେ ସରଳା ଦେବୀଙ୍କର ମଧ୍ୟ ବହୁ ରଚନା ଦେଖିବାକୁ ମିଳେ । ସେଗୁଡିକ ଭିତରୁ “ଧୌର୍ଯ୍ୟଶାଳୀ ସାମ୍ରାଜ୍ଞି – ଶୈବ୍ୟା”, “କଳ୍ପିତ ମୃତ୍ୟୁ” ଓ “ପ୍ରତୀକ୍ଷା” ଅନ୍ୟତମ । ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା “ଅଳକା”ଠାରୁ ଆରମ୍ଭ କରି “ସରକାର”, “ନବ ଭାରତ” ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ର ପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ସେ “ସବିତା” ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁ ଥିଲେ । ୧୯୩୫ ମସିହାରେ “ଭାରତୀୟ ମହିଳା ପ୍ରସଙ୍ଗ” ନାମରେ। ତାଙ୍କର ଏକ ପ୍ରବନ୍ଧ ପୁସ୍ତକ ଓ ନାରୀ ଜଗତ ନାମକ ଏକ ପ୍ରବନ୍ଧ ଗ୍ରନ୍ଥ ହିନ୍ଦୁସ୍ତାନ ସାହିତ୍ୟ ମନ୍ଦିର ପ୍ରକାଶ କରିଥିଲା ।ଏଥିରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ନାରୀ ଜାଗରଣ ବିଷୟରେ ଆଲୋଚନା କରାଯାଇଥିଲା ।୧୯୫୮ ମସିହାରେ ବିଶ୍ୱ ବିପ୍ଲବୀଣି ନାମକ ତାଙ୍କର ଏକ ପୁସ୍ତକ କଟକ ପବ୍ଲିସିଂ ହାଉସ୍ ପ୍ରକାଶ କରି ଥିଲା । ଏଥିରେ ବିଶ୍ୱ ତଥା ଭାରତର ବିପ୍ଲବିଣୀ ନାରୀ ମାନଙ୍କର ଜୀବନ କାହାଣୀ ସଂକ୍ଷେପରେ ପ୍ରକାଶ କରା ଯାଇଥିଲା । ଏହାବ୍ୟତୀତ “ରାୟ ରାମନନ୍ଦ”, “ସରଳା ମହାଭାରତରେ ନାରୀ ଚରିତ୍ର”, ବାସନ୍ତୀ ପ୍ରଭୃତି ଗ୍ରନ୍ଥ ଓ ଉପନ୍ୟାସରେ ବିଶେଷ ଭାବେ ଅବଦାନ କରିଥିଲେ । ଯଥା, ଉତ୍କଳର ନାରୀ ସମସ୍ୟା, ୧୯୩୪, ନାରୀର ଦାବି, ୧୯୩୪, ଭାରତୀୟ ମହିଳା ପ୍ରସଙ୍ଗ, ୧୯୩୫, ରବିନ୍ଦ୍ର ପୂଜା, ବୀର ରମଣୀ, ୧୯୪୯, ବିଶ୍ୱ ବିପ୍ଳବିଣୀ, ୧୯୩୦, ବାସନ୍ତୀ, ରାୟ ରାମାନନ୍ଦ, ଗାଁ କଥା |
୧୯୮୬ ମସିହା ଆକ୍ଟୋବର ୪ ତାରିଖ ଦିନ ୮୨ ବର୍ଷ ବୟସରେ ସରଳା ଦେବୀଙ୍କର ଦେହାନ୍ତ ହୋଇଥିଲା ।
