ତରବୋଡ଼ ଜବାହର ନବୋଦୟ ବିଦ୍ୟାଳୟରେ ଜ଼ିଲ୍ଲାପାଳଙ୍କ ନେତୃତ୍ୟରେ ସ୍ୱଚ୍ଛତା ସଚେତନତା
ଅଭିଯାନ
ନୂଆପଡା(ମିଖାଏଲ ନନ୍ଦ)
ତା. ୦୮/୦୮:
ନୂଆପଡ଼ା ଜିଲ୍ଲାର ତରବୋଡ଼ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ (ଜେଏନଭି) ପରିସରରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଏକକ-ବ୍ୟବହାର ପ୍ଲାଷ୍ଟିକ୍ (SUP) ବିରୋଧୀ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛିl
ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ପ୍ଲାଷ୍ଟିକ୍ର କୁପ୍ରଭାବ ଏବଂ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ସମ୍ପର୍କରେ ସଚେତନ କରିଥିଲେ। ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନରେ ଛାତ୍ରଛାତ୍ରୀମାନେ ‘ପରିବର୍ତ୍ତନର ଦୂତ’ ଭାବେ ନିଜ ପରିବାର ଓ ସମାଜକୁ ପ୍ରେରିତ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଜିଲ୍ଲାପାଳ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କୁ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ନିଷିଦ୍ଧ ଏକକ-ବ୍ୟବହାର ପ୍ଲାଷ୍ଟିକ୍ର ବ୍ୟବହାର ଓ ପ୍ରବେଶ ରୋକିବା, ଉତ୍ସସ୍ଥଳରୁ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ଓ ନିଷ୍କାସନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ।
ବିଦ୍ୟାଳୟ ପରିସରକୁ ଏକ ଆଦର୍ଶ ‘ଏସୟୁପି ଫ୍ରି ଏବଂ ସ୍ୱଚ୍ଛ ପରିସର’ ଭାବେ ବିକଶିତ କରିବା ସହ ଏହି ଅଭିଯାନରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗ ନିଶ୍ଚିତ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଏବଂ ଜିଲ୍ଲା ସ୍ୱଚ୍ଛ ସଂଯୋଜକ ଅନିଲ କୁମାର ଲେଙ୍କାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।ସ୍ୱଚ୍ଛ ବିଦ୍ୟାଳୟ, ପ୍ଲାଷ୍ଟିକ୍ମୁକ୍ତ ପରିସର ଓ ସୁସ୍ଥ ପରିବେଶ ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ଏହି ଅଭିଯାନରେ ବାର୍ତ୍ତା ଦିଆଯାଇଥିଲା।
