*ପ୍ରକୃତ ହିତାଧିକାରୀଙ୍କୁ ମିଳୁ ସରକାରୀ ସହାୟତା: ସମୀକ୍ଷା ବୈଠକରେ ନୂଆପଡ଼ା ଜିଲ୍ଲାପାଳଙ୍କ ଗୁରୁତ୍ୱ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୭/୦୮:
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିlବୈଠକରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଅଗ୍ରଗତି ସମୀକ୍ଷା ସହ ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସରକାରୀ ସୁବିଧା ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚାଇବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ଓ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।
ସମୀକ୍ଷାରେ ଜଣାପଡ଼ିଥିଲା ଯେ, ଜୁଲାଇ-୨୦୨୬ ମାସରେ ଜିଲ୍ଲାର ୮୩୨ଟି ପ୍ରବାସୀ ଶ୍ରମିକ ପରିବାର ପରିଦର୍ଶନ କରାଯାଇଥିବା ବେଳେ ୪୨ଟି ଯୋଗ୍ୟ ପରିବାରକୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲାରେ ଆୟୋଜିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (ବିଏସଏସଏ) କ୍ୟାମ୍ପଗୁଡ଼ିକରେ ୧,୩୬୭ ଜଣ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ବିଭିନ୍ନ ସରକାରୀ ସୁବିଧା ପାଇଁ ନାମ ପଞ୍ଜୀକରଣ ଓ ଆବେଦନ କରିଥିଲେ। ୟୁଡିଆଇଡି ପ୍ରମାଣପତ୍ର, ଭିନ୍ନକ୍ଷମ ଭତ୍ତା, ବସ୍ ଓ ଟ୍ରେନ୍ ରିହାତି, ସହାୟକ ଉପକରଣ, ଶିକ୍ଷାବୃତ୍ତି, ସ୍ୱାବଲମ୍ବନ ଓ ଅନ୍ୟାନ୍ୟ ସେବା ପ୍ରଦାନ ଦିଗରେ ଅଗ୍ରଗତିର ସମୀକ୍ଷା କରାଯାଇଥିଲା।
ବୈଠକରେ ଜିଲ୍ଲାପାଳ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ବକେୟା ଆବେଦନଗୁଡ଼ିକର ଶୀଘ୍ର ସମାଧାନ, ଘର ପରିଦର୍ଶନକୁ ଅଧିକ ସକ୍ରିୟ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବଞ୍ଚିତ ନ କରିବା ଏବଂ ସମସ୍ତ ସେବାକୁ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।
ସମୀକ୍ଷାରୁ ଜଣାପଡ଼ିଛି ଯେ ୧୯,୦୪୧ ଜଣ ବିଧବା ଭତ୍ତା ପାଉଥିବାବେଳେ ୧୦,୧୯୧ ଜଣ ସୁଭଦ୍ରା ଯୋଜନାରେ, ୭,୨୬୧ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ସହ ସଂଯୁକ୍ତ ଏବଂ ୯,୭୫୭ ଜଣ ଜାତୀୟ ପରିବାର ମଙ୍ଗଳ ଯୋଜନା (NFBS)ର ସହାୟତା ପାଇଛନ୍ତି। ବକେୟା ମାମଲାଗୁଡ଼ିକର ତ୍ୱରିତ ସମାଧାନ ଏବଂ ଯୋଗ୍ୟ ବିଧବାଙ୍କୁ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବୋଡେନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମପଞ୍ଚାୟତର ଆମଗୁଡ଼ା ଗ୍ରାମର ସୁମନ୍ତ କୁମାର ମୁଣ୍ଡଙ୍କୁ ଜୁଲାଇ-୨୦୨୬ ମାସ ପାଇଁ ‘ଦିବ୍ୟାଙ୍ଗ ମିତ୍ର ପୁରସ୍କାର’ ପ୍ରଦାନ କରି ଜିଲ୍ଲାପାଳ ସମ୍ମାନିତ କରିଥିଲେ।
ବୈଠକରେ ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦ୍ୱାରିକାନାଥ ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ମହାଉତୀ, ଏଲଡିଏମ ହରିଶଙ୍କର ନିଆଲ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିରେଖା ନନ୍ଦଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
