
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ପୁଣି ସୋରରେ ଆରମ୍ଭ ହୋଇଯାଇଛି ବର୍ଷା କାଳୀନ ଦୁର୍ଦ୍ଦଶା। ଯେଉଁଥି ପାଇଁ ଆଜି ବର୍ଷାରେ ବେହାଲ ହୋଇଯାଇଛି ସୋର ପୌରାଞ୍ଚଳର ଅନେକ ୱାର୍ଡ଼ରେ ଥିବା ଅନେକ ଘର, ରାସ୍ତା। ଏହିପରି ୧ ନଂ ୱାର୍ଡ଼ରେ ଥିବା କମରପୁର ଗ୍ରାମର ନାୟିକ ସାହି ଶେଷ ମୁଣ୍ଡ ଠାରୁ ନିରଞ୍ଜନ ଘଡେଇ ଘର ପର୍ଯ୍ୟନ୍ତ ରାସ୍ତାଟି ସମ୍ପୂର୍ଣ ରୂପେ ପାଣିରେ ବୁଡ଼ି ଯାଇଥିଲା। ଏଠାରେ ପୂର୍ବରୁ ଜଳ ନିଷ୍କାସନ ପାଇଁ ବାଟ ରହିଥିବା ବେଳେ ବର୍ତ୍ତମାନ ସେଠାରେ ୦୨ ନଂ ୱାର୍ଡ ଓ ୦୧ ନଂ ୱାର୍ଡ଼ର କିଛି ବ୍ୟକ୍ତି ପୌରପାଳିକାର ବିନା ଅନୁମତିରେ ଡ୍ରେନ ପାଇଁ ପର୍ଯ୍ୟାପ୍ତ ଜାଗା ନ ଛାଡ଼ି ଘର କରିବା ଫଳରେ ବର୍ଷା ପାଣି ନିଷ୍କାସନ ନ ହେବା ଫଳରେ ରାସ୍ତା ଉପରେ ପାଣି ଜମା ହୋଇ କିଛି ଲୋକଙ୍କ ଗୋଡ଼ ଖସି ଯିବାରୁ ପାଣି ଭିତରେ ଖସି ପଡ଼ି ଆହତ ହେବା ସହ, ଯାନବାହାନରୁ ମଧ୍ୟ ଖସି ପଡ଼ିଥିଲେ। ପୌରପାଳିକା ତରଫରୁ ଏକ ଜେସିବି ପାଣି ନିଷ୍କାସନ କରିବାକୁ ଆସି ପାଖରେ ଥିବା ଗଣ୍ଡ ଭିତରକୁ ପଶି ଯାଇଥିବାର ଦୃଶ୍ୟ ହସ୍ତଗତ ହୋଇଥିଲା। ଏଠାରେ ପୌରପାଳିକା ତରଫରୁ ଏକ ଫେଭର ରୋଡ଼ ବିନା ଫଳକରେ କରାଯାଇଥିଲା ଯାହା ରାସ୍ତା ହେବାର ଅଳ୍ପ କେଇ ମାସ ମଧ୍ୟରେ ପାଖରେ ଥିବା ଗଣ୍ଡ ପାର୍ଶ୍ଵକୁ ଦବି ଯିବା ଫଳରେ ଉକ୍ତ ଗଣ୍ଡର ପାଣି ଅନେକ ସମୟରେ ରାସ୍ତାକୁ ବୁଡ଼ାଇ ରଖୁଛି। ଉପରୋକ୍ତ ଅଭିଯୋଗ ଗୁଡ଼ିକ ସହ ଆଗାମୀ ଦିନରେ ପୌରପାଳିକା ତରଫରୁ ସରକାରୀ ଜାଗାକୁ ଚିହ୍ନଟ କରି ବେଆଇନ ନିର୍ମାଣ ଉଛେଦ କରି ତୁରନ୍ତ ଏକ ଦୀର୍ଘସ୍ଥାୟୀ ଡ୍ରେନ ନିର୍ମାଣ, ବେଆଇନ ଭାବେ ସରକାରୀ ଜାଗାକୁ ନିଜ ଜାଗା ବୋଲି ଦର୍ଶାଉଥିବା କିଛି ବ୍ୟକ୍ତିଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦା ବିଜୟ ମହାପାତ୍ର,ନିରଞ୍ଜନ ଘଡେ଼ଇ, ଶୁଭଦୀପ୍ତ ମହାପାତ୍ର, ନିରାକାର ବାରିକ, ମହେନ୍ଦ୍ର ବାରିକ, ପ୍ରମୋଦ ସାହୁ, ଅନାଦି ସାହୁ, ଅଶ୍ବିନୀ ବାରିକ, ସୀତା ଘଡ଼େଇ ପ୍ରମୁଖ ଦାବି କରିଛନ୍ତି। ଯଦି ଉପରୋକ୍ତ ଦାବି ଗୁଡ଼ିକ ଆଗାମୀ ଦିନରେ ସମାଧାନ କରା ନ ଯିବ ତେବେ ପୌରପାଳିକା କାର୍ଯ୍ୟାଳୟରେ ଅନଶନ ସହ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯିବ ବୋଲି ଚେତାବନୀ ଦେଇଛନ୍ତି।