ରାଜସୁନାଖଳା ପ୍ରେସ୍ କ୍ଲବର ନୂତନ ଗୃହ ଉଦ୍ଘାଟିତ
ରାଜସୁନାଖଳା: ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ପ୍ରମୁଖ କେନ୍ଦ୍ରସ୍ଥଳ ରାଜସୁନାଖଳାଠାରେ ନବଗଠିତ ରାଜସୁନାଖଳା ପ୍ରେସ୍ କ୍ଲବର ନୂତନ କାର୍ଯ୍ୟାଳୟ ଗୃହର ଶୁଭ ଉଦ୍ଘାଟନ ଓ ସାମ୍ବାଦିକ ସମ୍ବର୍ଦ୍ଧନା ସଭା ରବିବାର ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜସୁନାଖଳା, ବୋଲଗଡ଼ ଓ ରଣପୁର ଅଞ୍ଚଳର ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ନୂତନ ପ୍ରେସ୍ କ୍ଲବର ସଫଳତା କାମନା କରିଥିଲେ। ରବିବାର ଅପରାହ୍ନରେ ରଣପୁର ପ୍ରେସ୍ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ପଟ୍ଟନାୟକ ନୂତନ କାର୍ଯ୍ୟାଳୟ ଗୃହର ଶୁଭ ଉଦ୍ଘାଟନ କରିଥିଲେ। ପରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରେସ୍ କ୍ଲବର ବରିଷ୍ଠ ସଦସ୍ୟ ଗଙ୍ଗାଧର ଦାଶ ସଭାପତିତ୍ୱ କରିଥିବା ବେଳେ ନବନିର୍ବାଚିତ ସଭାପତି ରାକେଶ ଚନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ସୁକାନ୍ତ କୁମାର ପଟ୍ଟନାୟକ ଯୋଗଦେଇ ସାମ୍ବାଦିକତାରେ ନିରପେକ୍ଷତା, ଦାୟିତ୍ୱବୋଧ ଓ ସାମାଜିକ ଉତ୍ତରଦାୟିତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଓୟୁଡବ୍ଲୁଜେ (OUWJ)ର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ନୟାଗଡ ଜିଲ୍ଲା ସଭାପତି ଦେବୀ ପ୍ରସାଦ ମିଶ୍ର ସାମ୍ବାଦିକଙ୍କ ଏକତା, ସାମ୍ବାଦିକ ସୁରକ୍ଷା ଓ ଗଣମାଧ୍ୟମର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜସୁନାଖଳା ପଞ୍ଚାୟତ ସମିତି ସଦସ୍ୟ ତପନ କୁମାର ପ୍ରଧାନ ଏବଂ ବିଶିଷ୍ଟ ଆଇନଜୀବୀ ସର୍ବେଶ୍ୱର ବେହେରା ଯୋଗଦେଇ ପ୍ରେସ୍ କ୍ଲବର ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ।
ପ୍ରେସ୍ କ୍ଲବର ସମ୍ପାଦକ ନିରଞ୍ଜନ ସେଠୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ରାଜସୁନାଖଳା, ବୋଲଗଡ଼ ଓ ରଣପୁର ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ନୂତନ ପ୍ରେସ୍ କ୍ଲବର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ପ୍ରେସ୍ କ୍ଲବର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ସ୍ୱାଇଁ,ପାଣ୍ଡବ ସାହୁ, ଦିଲ୍ଲୀପ କୁମାର ପରିଡ଼ା, ଶ୍ରୀନିବାସ ବେହେରା, ସନ୍ତୋଷ ବରାଡ଼, ନିରଞ୍ଜନ ମହାପାତ୍ର, ବଲ୍ଲଭ କୁମାର ପ୍ରଧାନ, ସୁଶୀଲ କୁମାର ରଣା ଓ ରାଜୀବ ଲୋଚନ ପ୍ରଧାନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।ବକ୍ତାମାନେ ମତ ପ୍ରକାଶ କରିଥିଲେ ଯେ, ରାଜସୁନାଖଳା ପ୍ରେସ୍ କ୍ଲବର ନୂତନ କାର୍ଯ୍ୟାଳୟ ରାଜସୁନାଖଳା, ବୋଲଗଡ଼ ଓ ରଣପୁର ଅଞ୍ଚଳର ସାମ୍ବାଦିକ ମାନଙ୍କ ପାଇଁ ଏକ ସଶକ୍ତ ମଞ୍ଚ ଭାବେ କାର୍ଯ୍ୟ କରିବ। ଏହା ସାମ୍ବାଦିକମାନଙ୍କ ମଧ୍ୟରେ ଏକତା ଓ ସମନ୍ୱୟ ବୃଦ୍ଧି କରିବା ସହ ଅଞ୍ଚଳର ସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗକୁ ଅଧିକ ପ୍ରଭାବଶାଳୀ ଭାବେ ଲୋକଲୋଚନକୁ ଆଣିବାରେ ସହାୟକ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ।
