କନ୍ଧରା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କନ୍ଧରା ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ତୀବ୍ର ହୋଇଛି। ବର୍ଷାକୁ ଖାତିର ନକରି ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣାରେ ବସି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି।ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ପରିବେଷଣ, ଅପରିଷ୍କାର ଶୌଚାଳୟ, ଶ୍ରେଣୀଗୃହର ଅବ୍ୟବସ୍ଥା, ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା, ଖାଦ୍ୟ ବଣ୍ଟନରେ ଅନିୟମିତତା ଭଳି ଅନେକ ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଛି। ବାରମ୍ବାର ଜଣାଇଥିଲେ ମଧ୍ୟ ସମାଧାନ ହୋଇନଥିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି।ଏହା ସହ ପ୍ରଧାନ ଶିକ୍ଷୟିତ୍ରୀ ନିୟମିତ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହୁନଥିବା, ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉନଥିବା ଏବଂ ବିଦ୍ୟାଳୟ ପାଣ୍ଠିର ଦୁର୍ବ୍ୟବହାର ହୋଇଥିବା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ସହ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି।ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଛାତ୍ରଛାତ୍ରୀମାନେ ସ୍ପଷ୍ଟ କରିଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ
