ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ତାଳଚେର କଂଗ୍ରେସର ବିଜୟ ଉତ୍ସବ, ମୃତ ଛାତ୍ରଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି
ତାଳଚେର, ୨୬/୦୭:
କଥିତ NEET ପେପର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ସ୍ୱାଗତ କରି ତାଳଚେର ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ରବିବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ପେପର ଲିକ୍ ଘଟଣାକୁ କେନ୍ଦ୍ର କରି ମାନସିକ ଚାପ ସହିନପାରି ପ୍ରାଣ ହରାଇଥିବା ବୋଲି ଦାବି କରାଯାଇଥିବା ଛାତ୍ରଛାତ୍ରୀଙ୍କ ଆତ୍ମାର ସଦ୍ଗତି କାମନାରେ ନିରବ ପ୍ରାର୍ଥନା କରାଯାଇଥିଲା।
ଏହାପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ସାରା ଦେଶର ଛାତ୍ର ସମାଜ ଓ ସାଧାରଣ ଜନତାଙ୍କ ବିଜୟ ବୋଲି ଦର୍ଶାଇ ତାଳଚେର ପୌରାଞ୍ଚଳରେ ବିଜୟ ଉତ୍ସବ ପାଳନ କରାଯାଇଥିଲା।
ତାଳଚେର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପୌରାଞ୍ଚଳ ସଭାପତି ପ୍ରଫୁଲ୍ଲ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷକ ସଂଯୋଜକ ଦାଶରଥୀ ସାହୁ, ନଗର ଉପସଭାପତି ବାସୁଦେବ ସିଂହ, ସନ୍ତୋଷ ମହାରଣା, ସୋସିଆଲ ମିଡିଆ ମୁଖ୍ୟ ମୁକେଶ ଅଗ୍ରୱାଲ, ଏସ୍ପିଏଲ୍ ଆମନ୍ତ୍ରିତ ସଦସ୍ୟ ଦୁର୍ଗା ଶତପଥୀ, ଉପସଭାପତି ରମେଶ ଦାଶ, ମହିଳା ନେତ୍ରୀ ନର୍ମଦା ଓ ବାସନ୍ତୀ, ଜୋନ୍ ସଭାପତି ଗିରିଜା ମିଶ୍ର ଓ ଜମ୍ବେଶ୍ୱର ପଟ୍ଟନାୟକ, ସେବା ଦଳର ସଞ୍ଜୀବ ନାୟକ, ସମ୍ୟ ମିଶ୍ର, ମିଡିଆ ସେଲର ପ୍ରଦୀପ ମହାରଣା, ପ୍ରବୀଣ ଦାସ, ଯୁବ ନେତା ଅଶୋକ ଦାସ, ନିଲୁ ନାୟକ, ସୁମନ ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ନେତୃବୃନ୍ଦ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ସରକାରଙ୍କୁ ଆହ୍ୱାନ ଜଣାଇଥିଲେ।
