ମଧ୍ୟସ୍ଥିକୁ ମାଡ଼ମାରି ଲହୁଲୁହାଣ କରିବା ଘଟଣା ଦୁଇ ବର୍ଷ ନଜର ବନ୍ଦୀ ରହିବେ ଅଭିଯୁକ୍ତଦ୍ବୟ।
ଗଜପତି (ଟିକି ଲିମା)
ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟସ୍ଥ ବଟବୃକ୍ଷ ନିକଟରେ ଗାଡି ବନ୍ଧା ପକାଇବା ତଥା ପଇସା ଦେଣ ନେଣକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଚାଲୁଥିବାବେଳେ ମଧ୍ୟସ୍ଥି କରି ଏତଲାକାରି ମାଡ଼ ଖାଇବା ତଥା ଲହୁଲୁହାଣ ହେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ହର ପ୍ରସାଦ ପଟ୍ଟନାୟକ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ ଓ ୩୨୪ରେ ପାରଳାଖେମୁଣ୍ଡି ମଡେଲ ଥାନା ଅନ୍ତର୍ଗତ ଶାନ୍ତିନଗର ନିବାସୀ ଅଭିଯୁକ୍ତ ବିଜୟକାଲ ପାଣି (୩୦ବର୍ଷ) ଓରଫ ବିଜୟ କୁମାର ନିଲାପୁ ଓ ଗଣେଶ ପାଣି (୫୯ବର୍ଷ) ଓରଫ ଗଣେଶ ନିଲାପୁଙ୍କୁ ଦୋଷୀ ସାବ୍ୟସ୍ତ କରି ୧୫ଦିନ ଭିତରେ ଅଦାଲତରେ ଆତ୍ମ ସମର୍ପଣ କରି କୋଡ଼ିଏ ହଜାର ଟଙ୍କା ମୁଚାଲିକାରେ ୨ବର୍ଷ ନଜର ବନ୍ଦୀ ରହିବା ତଥା ସମାଜରେ ବିଶୃଙ୍ଖଳା ସୃଷ୍ଟି କରିଲେ କୌଣସି ବି ସମୟରେ ସଜା ଭୋଗ କରିବାକୁ ପ୍ରସ୍ତୁତ ରହିବା ନେଇ ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ତା ୨୨-୦୧-୨୦୨୪ରିଖ ସନ୍ଧ୍ୟା ୭ଘଟିକାରୁ ୭.୩୦ଘଟିକା ସମୟ ମଧ୍ୟରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟସ୍ଥ ବଟବୃକ୍ଷ ନିକଟରେ ଗାଡି ବନ୍ଧା ପକାଇବା ତଥା ପଇସା ଦେଣନେଣକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଚାଲୁଥିବା ବେଳେ ସେ ସମୟରେ ଏତଲାକାରି ଚୈତନ୍ୟ ମାଳି ମଧ୍ୟସ୍ଥି ଭାବେ ସେଠାରେ ପହଞ୍ଚି ବୁଝାସୁଝା କରିବା ସମୟରେ ଅଭିଯୁକ୍ତ ବିଜୟକାଲ ପାଣି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରି ତାଗିଦ କରି ଏହି ମାମଲାରେ ମୁଣ୍ଡ ନ ଖେଳାଇବାକୁ କହିଥିଲେ । ତା’ପରେ ଅନ୍ୟ ଅଭିଯୁକ୍ତ ଗଣେଶ ପାଣି ବି ତାଙ୍କୁ ଆକ୍ରମଣ କରିବା ସହ ତଳେ ପକାଇ ଦେଇ ନିସ୍ତୁକ ମାଡ଼ ମାରିବା ସହ ଅଭଦ୍ର ଭାଷାରେ ଗାଳି କରିଥିଲେ। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା। ପରେ ବିଜୟକାଲ ପାଣି ପାଖରେ ଥିବା ଏକ ବଡ଼ ପଥର ଆଣି ଏତଲାକାରିଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଛେଚି ଦେଇଥିଲେ ଓ ପ୍ରଚୁର ରକ୍ତଶ୍ରାବ ହେବାରୁ ଏତଲାକାରି ସେଠି ଅଚେତ ହୋଇ ପଡିଯାଇଥିଲେ। ପରେ ତାଙ୍କ ଘରଲୋକ ସେଠାରୁ ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଇବା ବେଳେ ସେଠାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରିବା ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ସେହି ଦିନ ରାତିରେ ଅଭିଯୁକ୍ତମାନଙ୍କ ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତଲାକାରୀ ଏକ ସଙ୍ଗିନ ମାମଲା ଦାୟର କରିଥିଲେ, ଯାହାକି ମାମଲା ନମ୍ବର ୨୧/୨୪ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ସବ ଇନ୍ସପେକ୍ଟର କୌତୁକ ସେଠି ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୧୦ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଦ୍ବୟଙ୍କୁ ଉକ୍ତ ସଜା ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ପ୍ରଥମଥର ଏଭଳି ଘଟଣା ଘଟାଇଥିବାରୁ ତାଙ୍କୁ ଏବେ ଦୁଇ ବର୍ଷ ନଜରବନ୍ଦୀରେ ରଖାଯିବା ସହ ଯଦି କିଛି ବି ଘଟଣାରେ ଜଡ଼ିତ ରୁହନ୍ତି, ତେବେ ନିର୍ଦ୍ଧାରିତ ଧାରା ଅନୁଯାୟୀ ପୂର୍ଣରୂପେ ସଜା ଭୋଗ କରିବେ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି।
