ରଘୁନାଥପୁର ବ୍ଲକ ର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ।
ରଘୁନାଥପୁର(ନି.ପ୍ର): ଦିନ ତମାମ ବର୍ଷା ଲାଗିରହିଥିବା ସତ୍ତ୍ୱେ ରଘୁନାଥପୁର ବ୍ଲକର ବିଭିନ୍ନ ସ୍ଥାନରେ ଘଣ୍ଟ, ହୁଳହୁଳି ଘଣ୍ଟା ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନି ରେ ଆନନ୍ଦ ଉଲ୍ଲାସର ସହ ମହାପ୍ରଭୁ କାଳିଆର ରଥ ଗଡିଥିଲା। ଘୋଷଯାତ୍ରା ପାଇଁ ସମସ୍ତ ପ୍ରକାର ନିତି କାନ୍ତି ପରେ ରଥକୁ ଭକ୍ତ ମାନେ ହରିବୋଲ,ହୁଳହୁଳି ଦେଇ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଟାଣି ଟାଣି ନେଇଥିଲେ। ଏହି କ୍ରମରେ ବହୁ ପ୍ରାଚୀନ ରଘୁନାଥପୁର ଜଗନ୍ନାଥତୋଳା ବଡଦାଣ୍ଡ ପତିତପାବନଙ୍କ ରଥରେ ଶିବେନ ମିତ୍ର ଛେରାପହଁରା କରିଥିବା ବେଳେ ଶ୍ରୀଦେବ ସରକାର ସମସ୍ତ ପ୍ରକାର ପରିଚାଳନା ତଥା ସ୍ଥାନୀୟ ଗ୍ରାମବାସୀ ଓ ଯୁବକ ସଂଘ ସଦସ୍ୟଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ବେଶ୍ ହସ ଖୁସିରେ ଅନୁଷ୍ଠିତ ହୋଇଥିଲା।ସେହିପରି ଜଗନ୍ନାଥପୁର ବଜାରରେ ଥିବା ମଦନ ମୋହନଙ୍କ ରଥରେ ମଦନ ମୋହନ ଜେନା, ଅୟରରେ ସଦାଶିବ ବିଶ୍ବାଳ,ଓଡ଼ପଡ଼ାରେ ସୁଶାନ୍ତ କୁମାର ପଟ୍ଟନାୟକ, ତରିକୁନ୍ଦରେ ସୁଧାଂଶୁ ଶେଖର ରାୟ, ଛପଡାରେ ସୌମ୍ୟରଞ୍ଜନ ଦାସ,ଶୀର୍ଲୋ ଗୋମତୀ ଆଶ୍ରମ ରଥରେ ବାବାଜୀ ପତିତପାବନ ଦାସ ,ପ୍ରମୁଖ ଛେରା ପହଁରା କରିଥିଲେ। ସେହିପରି ଭାସିଲପୁର,ଗୋପାଳପୁର,ଗନାଇଲୋ, ମାହାଳହାଟ, ତାରପୁର, ଗୋକଳପୁର, ଚିକିଣିଆ, ଖଣ୍ଡତରୀ, ଜଇପୁର ହାଟ,ନାଲିବର, ରେଢୁଆ, ଗୁଆଳିପୁର, ବଡକୋରକର, ଦରଗାତଳା ଓ ସିଦ୍ଧଭୁଇଁ ଠାରେ ଅନୁରୂପ ଭାବେ ଜଗନ୍ନାଥଙ୍କ ରଥଯାତ୍ରା ମହା ସମାରୋହରେ ପାଳନ କରାଯାଇଛି।
