*ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ: ଉଦ୍ୟାନ କୃଷି ଓ ଜଳ ସଂରକ୍ଷଣ ଯୋଜନାର ହେବ ସଫଳ ରୂପାୟନ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା. ୧୦/୦୭:
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗର ବିଭିନ୍ନ ଯୋଜନାର ପ୍ରଗତି ଏବଂ ଲକ୍ଷ୍ୟ ହାସଲ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।
ସମୀକ୍ଷା ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, ଉଦ୍ୟାନ କୃଷି କୃଷକଙ୍କ ଆୟବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ। ତେଣୁ ବିଭାଗର ସମସ୍ତ ଯୋଜନାର ପ୍ରଭାବଶାଳୀ ରୂପାୟନ ସହ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଳର ସୁବିନିଯୋଗ ପାଇଁ ଡ୍ରିପ୍ ଓ ସ୍ପ୍ରିଙ୍କଲର ଭଳି ମାଇକ୍ରୋ ଇରିଗେସନ୍ ବ୍ୟବସ୍ଥାର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହ ଫଳ, ପନିପରିବା, ମସଲା ଫସଲ ଏବଂ ତୈଳ ପାମ୍ ଚାଷକୁ ପ୍ରୋତ୍ସାହନ ଦେଇ କୃଷକଙ୍କ ଆୟ ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ବୈଠକରେ ସୂଚନା ଦିଆଯାଇଥିଲା ଯେ, ‘ପର୍ ଡ୍ରପ୍ ମୋର୍ କ୍ରପ୍’ ଯୋଜନାରେ ଜିଲ୍ଲାରେ ୨୦୦ ହେକ୍ଟର ଡ୍ରିପ୍ ସେଚନ ଲକ୍ଷ୍ୟ ବିପରୀତ ୮୬.୮୦ ହେକ୍ଟର ଏବଂ ୭୦୦ ହେକ୍ଟର ସ୍ପ୍ରିଙ୍କଲର ସେଚନ ଲକ୍ଷ୍ୟ ବିପରୀତ ୨୧୨.୩୦ ହେକ୍ଟରରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିପରି ଜାତୀୟ ଭୋଜ୍ୟ ତୈଳ ପାମ୍ ମିଶନ ଅଧୀନରେ ୧୫୦ ହେକ୍ଟରରେ ନୂତନ ତୈଳ ପାମ୍ ଚାଷର ଲକ୍ଷ୍ୟ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୩.୬୬ ହେକ୍ଟରରେ ଚାଷ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।ଏହି ଅବସରରେ ଉଦ୍ୟାନ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଖଡ଼ିଆଳ ବ୍ଲକର ମହେଶ କୁମାର ସୁନା, ବୋଡେନ ବ୍ଲକର ଗିରିଧାରୀ ରଣା, କୋମନା ବ୍ଲକର ରିକେଶ କୁମାର ପ୍ରଧାନ, ନୂଆପଡ଼ା ବ୍ଲକର ଲାଲାରାମ ସାହୁ ଓ ସିନାପାଲି ବ୍ଲକର ବିଶ୍ରାମ ହେର୍ଣ୍ଣାଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ।ବୈଠକରେ କୋମନା ସହକାରୀ ଉଦ୍ୟାନ କୃଷି ଅଧିକାରୀ ଆରାଧନା ଶବର, କୋମନା ଉଦ୍ୟାନ କୃଷି ଅଧିକାରୀ ଗୌରାଙ୍ଗ ଚରଣ ପ୍ରଧାନ, ନୂଆପଡ଼ା ଉଦ୍ୟାନ କୃଷି ଅଧିକାରୀ ଗୋବର୍ଦ୍ଧନ ପାଢ଼ୀ, ଖଡ଼ିଆଳ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମୋହିତ କୁମାର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ଉଦ୍ୟାନ କୃଷି ଅଧିକାରୀ ଉପସ୍ଥିତ ଥିଲେ।
