ଦିଅରର ଆକ୍ରମଣରେ ଭାଉଜ ମୃତ ଘଟଣା ; ସ୍ବାମୀ ସ୍ତ୍ରୀ କୋର୍ଟ ଚାଲାଣ,
ଟାଙ୍ଗିଆ, କତୁରୀ କାତି ଜବତ,
ବେଲଗୁଣ୍ଠା,୦୨/୦୭-(ଶିବାର ମ ଚୌଧୁରୀ )-, ଗତକାଲି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଦୁଇ ପରିବାର ମଧ୍ୟରେ ହଣାକଟା ଘଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିବା ଘଟଣାରେ ମୃତ ବାସନ୍ତୀ ପ୍ରଧାନଙ୍କ ସ୍ବାମୀ ଗୌରାଙ୍ଗ ପ୍ରଧାନଙ୍କ ଏତାଲା କ୍ରମେ ଆଜି ଗାଙ୍ଗପୁର ପୋଲିସ୍ ଆକ୍ରମଣକାରୀ ସ୍ବାମୀ ସ୍ତ୍ରୀକୁ କୋର୍ଟ ଚାଲାଣ କରିବା ସହିତ ତାଙ୍କର ନାବାଳକ ପୁଅକୁ ଜୁଭେନାଇଲ୍ କୋର୍ଟ କୁ ପଠାଇ ଦେଇଥିବା ଜଣା ପଡ଼ିଛି। ଗୌରାଙ୍ଗଙ୍କ ଏତାଲା ପ୍ରକାରେ ଗତ ମଙ୍ଗଳବାର ଦିନ ଗୌରାଙ୍ଗଙ୍କ ସ୍ତ୍ରୀ ବାସନ୍ତୀ ପ୍ରଧାନ ଜଙ୍ଗଲକୁ ଯାଇଥିବା ବେଳେ ଗୌରାଙ୍ଗଙ୍କ ସାନ ଭାଇ ମୁରଲୀ ପ୍ରଧାନର ନିଜ ଝିଅ ଦଳିତ ସହିତ ବିବାହ କରିଥିବା ଘଟଣାକୁ ନେଇ ବାସନ୍ତୀ ଥଟ୍ଟା ତାମସା କରୁଥିବାରୁ ବାସନ୍ତୀଙ୍କୁ ଗାଳିଗୁଲଜ କରିଥିଲା। ଏଥିରେ ବାସନ୍ତୀ ଆତ୍ମ ରକ୍ଷା ପାଇଁ ହାତରେ ଧରିଥିବା କାତିଟିକୁ ବୁଲାଇବାରୁ,ମୁରଲୀ ବାସନ୍ତୀଙ୍କ ପୁଅକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ବୁଧବାର ଦିନ ଅପରାହ୍ନ ତିନି ଘଣ୍ଟା ତିରିଶି ମିନିଟ ସମୟରେ ବାସନ୍ତୀ ନିଜ ପୁଅ ହିନ ସହିତ ପାଲକଷଣ୍ଢା ଗ୍ରାମର କେନାଲ ରାସ୍ତା ନିକଟରେ ଥିବା ସନ୍ଧିରିୟା କିଆରିରେ ଛେଳି ଚରାଉ ଥିବା ବେଳେ ମୁରଲୀ ପ୍ରଧାନ, ମୁରଲୀଙ୍କ ସ୍ତ୍ରୀ ବିନୀ ଏବଂ ତାଙ୍କ ୧୭ବର୍ଷର ନାବାଳକ ପୁଅ ମିଳିତ ଭାବେ ଠେଙ୍ଗା, ଛୁରୀ ଏବଂ ଟାଙ୍ଗିଆରେ ବାସନ୍ତୀ ଏବଂ ତାଙ୍କ ପୁଅକୁ ଆକ୍ରମଣ କରିଥିଲେ। ଏଥିରେ ବାସନ୍ତୀ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ପୁଅକୁ ପ୍ରଥମେ ଆସିକା ମେଡ଼ିକାଲ ଏବଂ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଘଟଣା ସ୍ଥଳକୁ ଗଞ୍ଜାମ ଆଡିସନାଲ ଏସ.ପି. ରଞ୍ଜନ କୁମାର ଦେ, ଭଞ୍ଜନଗର ଏସଡିପିଓ ଡ ଦୀପକ ମିଶ୍ର,ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସମେତ ଗାଙ୍ଗପୁର ପୋଲିସ ବାହିନୀ ଯାଇ ଘଟଣାର ପ୍ରାଥମିକ ତଦନ୍ତ କରୁଥିଲେ। ଗୌରାଙ୍ଗ ପ୍ରଧାନଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର ପୋଲିସ ୩୦୦/୨୬ ରେ ଏକ ମାମଲା ରୁଜୁ କରି ମୁରଲୀ ପ୍ରଧାନ,ମୁରଲୀଙ୍କ ସ୍ତ୍ରୀ ବୀନି ଏବଂ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସମସ୍ତଙ୍କର ଜାମିନ ନାମଞ୍ଜୁର ହେବାରୁ ମୁରଲୀ ଏବଂ ଵିନିଙ୍କୁ ହାଜତକୁ ପଠାଇ ଦିଆଯାଇଥିବା ବେଳେ ତାଙ୍କ ପୁଅକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଘଟଣାର ଅଧିକ ତଦନ୍ତ କରୁଛନ୍ତି।
