ବାଘବର ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ, ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ବଡ଼ ପଦକ୍ଷେପ
ଦେବଗଡ଼:
ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ବାଘବର ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ନୂତନ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଆଜି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ଜିତୁ ସେଠୀ ଏହି ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ବିଧାୟକ ପାଣ୍ଠିରୁ ଅନୁଦାନ ପ୍ରାପ୍ତ ଏହି ପ୍ରକଳ୍ପ ମାଧ୍ୟମରେ ଗ୍ରାମବାସୀଙ୍କୁ ନିରାପଦ ଓ ସୁବିଧାଜନକ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି।
ଏହି ଅବସରରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଥିଲେ ଯେ, ଗ୍ରାମାଞ୍ଚଳରେ ମୌଳିକ ସୁବିଧା ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା। ବିଶେଷକରି ପାନୀୟ ଜଳ ଭଳି ଜୀବନ ଜରୁରୀ ସେବା ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ। ବରଡାନାଳି ଅଞ୍ଚଳର ଲୋକମାନେ ବହୁଦିନ ଧରି ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଛି।
ସେ ଆହୁରି କହିଥିଲେ ଯେ, ଜନସାଧାରଣଙ୍କ ସୁବିଧା ଓ ଅଞ୍ଚଳର ସାମଗ୍ରିକ ବିକାଶ ହିଁ ତାଙ୍କର ପ୍ରମୁଖ ଲକ୍ଷ୍ୟ। ଦେବଗଡ଼ ଜିଲ୍ଲାରେ ସଡ଼କ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଯୋଗାଯୋଗ ଭଳି ମୌଳିକ କ୍ଷେତ୍ରରେ ନିରନ୍ତର ବିକାଶମୂଳକ କାର୍ଯ୍ୟ ଚାଲିଛି। ଲୋକଙ୍କ ଭଲପାଇବା, ଆଶୀର୍ବାଦ ଓ ବିଶ୍ୱାସ ତାଙ୍କୁ ଅଧିକ ଉତ୍ସାହ ଓ ପ୍ରେରଣା ଯୋଗାଇଥାଏ ବୋଲି ସେ କହିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଲୋକକଲ୍ୟାଣମୂଳକ କାର୍ଯ୍ୟ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ କୁନା ମାଝୀ, ଅରୁଣ ଭୋଇ, ଯୁଧିଷ୍ଠିର ସାହୁଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ସମାଜସେବୀ, ଗ୍ରାମବାସୀ ଓ ବହୁ ସମ୍ମାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରକଳ୍ପର ଶୁଭାରମ୍ଭ ପରେ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା।
ଦେବଗଡ଼ରୁ ସୁରେଶ ମାଝୀଙ୍କ ରିପୋର୍ଟ।
