ବାନାମ୍ବର ମନ୍ଦିର ବେଢାରେ ପାର୍ଶ୍ଵ ଦେବତା ଓ ନବଗ୍ରହ ସ୍ଥାପନ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ଗ୍ରାମପଞ୍ଚାୟତରେ ଅବସ୍ଥିତ ବାନାମ୍ବର ମହାଦେବ ମନ୍ଦିରରେ ପାର୍ଶ୍ଵ ଦେବତା ଓ ନବଗ୍ରହ ମୂର୍ତ୍ତୀ ସ୍ଥାପନ ନିମନ୍ତେ ଯଜ୍ଞ ଓ ଚତୁର୍ଥ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଦିନ ମନ୍ଦିରରେ ଚତୁର୍ଥ ପ୍ରହରୀ ନାମଯଜ୍ଞ ବି କରାଯାଇଥିଲା। ଆଜି ସକାଳୁ ଗ୍ରାମବାସୀଙ୍କ ଦ୍ଵାରା କଳସଯାତ୍ରା ପରେ ଯଜ୍ଞ ଆରମ୍ଭ ହୋଇ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, କଳସ ସ୍ଥାପନ ଓ ଅଗ୍ନି ସ୍ଥାପନ କରାଯାଇ ଶେଷରେ ପୂର୍ଣ୍ଣାହୁତି ହୋଇଥିଲା। ସେହି ସମୟରେ ମନ୍ଦିର ପରିବେଶରେ ଘଣ୍ଟ, ଶଙ୍ଖ, ହୁଳହୁଳି ଓ ହରିବୋଲ ଶବ୍ଦରେ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମରେ ଚତୁର୍ଥ ପ୍ରହରୀ ପାଇଁ କର୍ତ୍ତା ଭାବରେ ନିରଞ୍ଜନ ଦାଶ ଓ ତାଙ୍କ ଧର୍ମପତ୍ନୀ ସୌଦାମିନୀ ରଥ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଯଜ୍ଞ ପାଇଁ କର୍ତ୍ତା ଭାବରେ ସୌମ୍ୟରଞ୍ଜନ ଦାଶ ଓ ତାଙ୍କ ଧର୍ମପତ୍ନୀ ସୁଜାତା ଦାଶ ଦାୟିତ୍ଵ ନିର୍ବାହ କରିଥିବାବେଳେ ତାରପୁର ଗ୍ରାମପଞ୍ଚାୟତର ସରପଞ୍ଚ ସୁଷମା ମଲ୍ଲିକ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଭାକର ମଲ୍ଲିକ, ପ୍ରତାପ ରାଉତ, ଅଖନ ନାୟକ, ବିଷ୍ଣୁ ବିଶ୍ଵାଳ, ବିଜୟ ଦାସ, ବସନ୍ତ କୁମାର ଦାଶ, ଟୁଲନ କୁମାର ଦାସ ଓ ରବି ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ବାନାମ୍ବର ପୂଜା କମିଟି ପକ୍ଷରୁ ଉପସ୍ଥିତ ଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ତା ବି କରାଯାଇଥିଲା।
