ସାରସକଣା/ଜାମଶଳା(ଅନିଲ କୁମାର ସାହୁ) : ଜୁନ ୨୦ରେ ସ୍କୁଲ ଖୋଲିବାକୁ ଥିବାରୁ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଶୌଚଚାଳୟ ପର୍ଯ୍ୟନ୍ତ ପରିଷ୍କାର କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।ଶ୍ରେଣୀଗୃହ,କ୍ୟାମ୍ପସ ସଫା କରିବା ସହ ଅନାବନା ଗଛ କାଟି ସ୍କୁଲ ପରିସର ପରିଷ୍କାର କରିବାକୁ କୁହାଯାଇଛି।ସ୍କୁଲ ଖୋଲିବାର ପ୍ରଥମ ଦିନରେ ହିଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ।ତେଣୁ ତା ପୂର୍ବରୁ ମଧ୍ୟାହ୍ନଭୋଜନ ଦିଆଯିବାକୁ ଥିବା ସ୍ଥାନ ଓ ପାନୀୟ ଜଳର ଯାଞ୍ଚ କରାଯିବ।ସ୍କୁଲ ଖୋଲିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୧୯ ତାରିଖରେ ସମସ୍ତ ଶିକ୍ଷକ,ଅଣ ଶିକ୍ଷକ କର୍ମଚାରୀ ସମେତ ପାଚିକା ଓ ସହାୟିକା କାର୍ଯ୍ୟରେ ଯୋଗ ଦେବାକୁ କୁହଯାଇଛି।ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ କ୍ୟାମ୍ପସ ସଫେଇ ,ପାଣି ଟାଙ୍କୀ ସଫା ଓ ଶୌଚଚାଳୟକୁ ବ୍ୟବହାର ଉପଯୋଗୀ କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର,ଗ୍ୟାସ ଚୁଲା,ସ୍ମାର୍ଟ୍ ଶ୍ରେଣୀଗୃହ, ଇ ଲାଇବ୍ରେରୀ ସହ ଇଣ୍ଟରନେଟ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି
ସ୍କୁଲରେ ସ୍ଵଛତା ନେଇ ସମସ୍ତ କାର୍ଯ୍ୟ ହୋଇଛି କି ନାହିଁ ତାହା ଯାଞ୍ଚ କରିବାକୁ ଜିଲ୍ଲା ଓ ରାଜ୍ୟସ୍ତରୀୟ ଟିମକୁ ପରାମର୍ଶ ଦିଆଯାଇଛି।ବିଶେଷକରି ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ଏ ଦିଗରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।ପାଖାପାଖି ଦୁଇ ମାସ ପରେ ସ୍କୁଲ ଖୋଲିବାକୁ ଯାଉଥିବାରୁ ମଧ୍ୟାହ୍ନ ଭୋଜନ ଖାଦ୍ୟର ମାନ ଉପରେ ଅଧିକ ଗୁରୁତ୍ତ୍ବରୋପ କରାଯାଉଛି। ଏ ଥର ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ।ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନର ମାନ ଯେପରି ଠିକ୍ ରୁହେ ସି ଆର୍ ସି ସି ଓ ବ୍ଲକ ଶିକ୍ଷା ଅଧିକାରୀ ମାନେ ତାହାକୁ ସୁନିଶ୍ଚିତ କରିବେ।ପ୍ରଥମ ଦିନ ବିଦ୍ୟାଳୟର ପ୍ରଧାନଶିକ୍ଷକ,ସ୍କୁଲ ପରିଚାଳନା କମିଟିର ସଦସ୍ୟ,ଶିକ୍ଷକମାନେ ମଧ୍ୟାହ୍ନଭୋଜନ ଖାଦ୍ୟ ଖାଇବା ପରେ ଯାଇ ପିଲାମାନଙ୍କୁ ଦିଆଯିବ। ଡିଇଓ , ବିଇଓ ଓ ସି ଆର୍ ସି ସି ମାନେ ନିୟମିତ ଭାବେ ବିଭିନ୍ନ ସ୍କୁଲ ଗସ୍ତ କରି ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିବେ।ପ୍ରତି ସ୍କୁଲରେ ଖାଦ୍ୟମାନ ଯାଞ୍ଚ ରେଜିଷ୍ଟର ଯେପରି ପାଳନ ହୁଏ ସେଥିପ୍ରତି ପ୍ରାଥମିକତା ଦିଆଯିବ।ଅଭିଭାବକ ବିଶେଷ କରି ପିଲାଙ୍କ ମା’ମାନେ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବେ।ସେମାନଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନେବାକୁ ପିଏମ ପୋଷଣ ରାଜ୍ୟ ପ୍ରକଳ୍ପ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ପରାମର୍ଶ ଦେଇଛନ୍ତି।
