*ଶିଶୁ ଶ୍ରମ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ପରାମର୍ଶ ଓ ଆଇଇସି ଓରିଏଣ୍ଟେସନ୍ କର୍ମଶାଳା ଅନୁଷ୍ଠିତ*
ବରଗଡ଼, ୧୯/୦୬(ନି ପ୍ର ): ଶିଶୁ ଶ୍ରମ ଉଚ୍ଛେଦ, ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ-ମିତ୍ର ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର) ଏବଂ ଶ୍ରମ ଓ ଇଏସଆଇ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଆଇଇସି ଓରିଏଣ୍ଟେସନ୍ ଓ ଜିଲ୍ଲାସ୍ତରୀୟ ପରାମର୍ଶ କର୍ମଶାଳା ଆଜି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆୟୋଗର ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା, ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ବରଗଡ଼ ସାଂସଦଙ୍କ ପ୍ରତିନିଧି ଶ୍ରୀ ଲିପ୍ସିତ ମିଶ୍ର, ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁ ଏବଂ ସାଧନକର୍ମୀ ଶ୍ରୀ ଜ୍ୟୋତିପ୍ରକାଶ ବ୍ରହ୍ମା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଶିଶୁ ଶ୍ରମ ନିରାକରଣ ପାଇଁ ବିଭିନ୍ନ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜର ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ପରେ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଶିଶୁ ଶ୍ରମ ନିରାକରଣ, ଶିଶୁ ସୁରକ୍ଷା ଆଇନର କାର୍ଯ୍ୟକାରୀ ପ୍ରୟୋଗ, ଶିଶୁ ଚାଲାଣ ପ୍ରତିରୋଧ ଏବଂ ଶିଶୁ-ମିତ୍ର ପରିବେଶ ସୃଷ୍ଟି ପାଇଁ ସଚେତନତା ଓ ସମନ୍ୱୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏହାପରେ ସାଧନକର୍ମୀ ଶ୍ରୀ ବ୍ରହ୍ମା ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଅଧିନିୟମ, ୧୯୮୬, କିଶୋର ନ୍ୟାୟ ଆଇନ, ୨୦୧୫, ଶିକ୍ଷା ଅଧିକାର ଆଇନ, ୨୦୦୯, ଶିଶୁ ସୁରକ୍ଷା ବ୍ୟବସ୍ଥା, ଶିଶୁ ଚାଲାଣ ପ୍ରତିରୋଧ, ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର, ରିପୋର୍ଟିଂ, ପୁନର୍ବାସ ଓ ପୁନଃସମାବେଶ ପ୍ରକ୍ରିୟା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହାସହ ଶିଶୁ ଶ୍ରମମୁକ୍ତ ଗ୍ରାମ ଓ ଶିଶୁ-ମିତ୍ର ସମାଜ ଗଠନ ପାଇଁ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ଦୃଢ଼ ସମନ୍ୱୟର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
କର୍ମଶାଳାରେ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ତଥା ପୋଲିସ, ଶ୍ରମ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ୍, ସମସ୍ତ ସିଡିପିଓ, ଶିଶୁ କଲ୍ୟାଣ କମିଟି ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ମଂଚାସୀନ ସମସ୍ତ ଅତିଥିମାନେ ମତପ୍ରକାଶ କରିଥିଲେ ଯେ, ପ୍ରତ୍ୟେକ ଶିଶୁ ଯେପରି ଶୋଷଣମୁକ୍ତ ପରିବେଶରେ ଶିକ୍ଷା, ବିକାଶ ଓ ନିରାପଦ ଶୈଶବର ସୁଯୋଗ ପାଇପାରିବେ, ସେଥିପାଇଁ ସରକାର, ସମୁଦାୟ ଓ ପ୍ରତ୍ୟେକ ନାଗରିକଙ୍କ ସମ୍ମିଳିତ ପ୍ରୟାସ ହିଁ ଶିଶୁ ଶ୍ରମ ନିରାକରଣର ମୂଳ ଚାବିକାଠି। ଶେଷରେ ଆୟୋଗର ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା ଧନ୍ୟବାଦ ଅର୍ପଣ କରିବା ସହ ଶିଶୁ ଶ୍ରମମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ସମନ୍ୱିତ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ।
