*ନୂଆପଡ଼ାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ କଡା ଯାଞ୍ଚ ଜାରି l ବର୍ତମାନ ସୁଦ୍ଧା ଛତ୍ତିଶଗଡ଼ରୁ ଅବୈଧ ଧାନ ପ୍ରବେଶ ବେଳେ ୨୦୬ କୁଇଣ୍ଟାଲ ଧାନ ଜବତl*
ନୂଆପଡ଼ା( ମିଖାଏଲ ନନ୍ଦ)
ତାରିଖ :୨୭/୦୫
ନୂଆପଡ଼ା ଜ଼ିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ସୀମାନ୍ତ ଛତ୍ତିଶଗଡ଼ ରାଜ୍ୟରୁ ଜିଲ୍ଲାକୁ କୌଣସି ଅବୈଧ ଧାନ ପ୍ରବେଶ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କଡା ନଜରଦାରୀ ଜାରି ରହିଛି।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ କଡା ନିର୍ଦ୍ଦେଶ କ୍ରମେ ବିଭିନ୍ନ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଥିବା ବେଳେ ଆରଏମସି (RMC) କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ମିଳିତ ସହଯୋଗରେ ଦିନ ଓ ରାତିରେ ସୀମାନ୍ତ ରାସ୍ତାଗୁଡ଼ିକରେ ନିରନ୍ତର ଯାଞ୍ଚ କରାଯାଉଛି। ଏହା ସହିତ ସୀମାନ୍ତ ରାସ୍ତାଗୁଡ଼ିକରେ ଚେକ୍ ପୋଷ୍ଟ ସ୍ଥାପନ ସହ ସିସି ଟିଭି କ୍ୟାମେରା ମଧ୍ୟ ଲଗାଯାଇଛି।
ଏହି କଡା ନଜରଦାରୀର ଫଳସ୍ୱରୂପ ବିଗତ ଦୁଇ ଦିନ ମଧ୍ୟରେ ଛତ୍ତିଶଗଡ଼ରୁ ଜିଲ୍ଲାକୁ ଅବୈଧ ଭାବେ ଧାନ ପ୍ରବେଶ ସମୟରେ ୩ଟି ଗାଡ଼ି ସହ ମୋଟ ୬୪୫ ବ୍ୟାଗ୍ ଧାନ ଜବତ କରାଯାଇଛି। ଜବତ ଧାନର ପରିମାଣ ୨୦୬.୫୨ କୁଇଣ୍ଟାଲ ହୋଇଥିବା ଜଣାପଡ଼ିଛି।ଏପରି ଅବୈଧ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତି ଓ ଗାଡ଼ି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ମଧ୍ୟ ଏଭଳି ଅବୈଧ ଧାନ ପରିବହନ ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ପ୍ରଶାସନକୁ ଅବଗତ କରିବା ପାଇଁ ଅନୁରୋଧ କରାଯାଇଛି।
