*ନୂଆପଡ଼ା ଅଟଳ ବସ ଷ୍ଟାଣ୍ଡର ଆକସ୍ମିକ ବ୍ୟୟ ସମ୍ପର୍କିତ ପ୍ରଚାରିତ ଖବର ଉପରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଘାଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ, ଆତ୍ମସାତ୍ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ*
ନୂଆପଡା(ମିଖାଏଲ ନନ୍ଦ)
ତା. ୨୪/୦୫ :
ଏକ ୟୁଟ୍ୟୁବ ଚ୍ୟାନେଲ ‘ମୋର ସମିଆ’ରେ ନୂଆପଡା ଅଟଳ ବସ ଷ୍ଟାଣ୍ଡର ଆକସ୍ମିକ ବ୍ୟୟ (Contingency Expenditure) ସମ୍ପର୍କରେ ଅର୍ଥ ଆତ୍ମସାତ୍ ଅଭିଯୋଗ ନେଇ ପ୍ରଚାରିତ ଖବରକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ଗ୍ରହଣ କରିଛି I ଜିଲ୍ଲାପାଳ ମଧୁସୂଦନ ଦାଶ ଘଟଣାର ସତ୍ୟାସତ୍ୟ ନିରପେକ୍ଷ ଓ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ପାଇଁ ତୁରନ୍ତ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ତଦନ୍ତ ସମୟରେ ଖବରରେ ଦର୍ଶାଯାଇଥିବା ୧୨.୦୩.୨୦୨୬ ତାରିଖର ବିଲ୍ ସହ ସମ୍ପୃକ୍ତ ସମସ୍ତ ଇନଭଏସ୍, ହିସାବ ପତ୍ର, ରେକର୍ଡ ଏବଂ ଦଳିଲପତ୍ର ସବିଶେଷ ଯାଞ୍ଚ କରାଯାଇଥିଲା। ତଦନ୍ତ ଶେଷରେ ସ୍ପଷ୍ଟ ହୋଇଛି ଯେ, ବିଲ୍ରେ ଉଲ୍ଲେଖିତ ରାଶି ସମ୍ପୃକ୍ତ ସପ୍ଲାୟରମାନଙ୍କ ଇନଭଏସ୍ ସହ ସଠିକ୍ ଭାବେ ମେଳ ଖାଉଛି ଏବଂ ଜିଏସଟି ରାଶି ମଧ୍ୟ ନିୟମାନୁସାରେ ଠିକ୍ ଭାବେ ଯୋଗ କରାଯାଇଛି। ସମୁଦାୟ ବିଲ୍ ରାଶି ୬୦,୬୪୪ ଟଙ୍କା ସଠିକ୍ ଥିବା ତଦନ୍ତରେ ପ୍ରମାଣିତ ହୋଇଛି।ତଦନ୍ତ ପ୍ରକ୍ରିୟାରେ ମେସର୍ସ ଜୈନ ଇନଭାଇରୋମେଣ୍ଟାଲ ସୋଲ୍ୟୁସନ୍, ପ୍ରେମକୁଞ୍ଜ କଲେକ୍ସନ୍ ଏବଂ ଆର୍.କେ. ହାର୍ଡୱେର୍ ଏଣ୍ଡ ଇଲେକ୍ଟ୍ରିକାଲ୍ ଷ୍ଟୋରର ଇନଭଏସ୍ଗୁଡ଼ିକୁ ଯାଞ୍ଚ କରାଯାଇଥିଲା ଏବଂ ସମସ୍ତ ହିସାବ ସଠିକ୍ ଥିବା ନିଶ୍ଚିତ କରାଯାଇଛି।ତଦନ୍ତ ସମୟରେ ମୋଟ ଦାବିକୃତ ରାଶି ଏବଂ ଇନଭଏସ୍ର ରାଶି ମଧ୍ୟରେ କୌଣସି ଅମେଳ ନଥିବା ସ୍ପଷ୍ଟ ହୋଇଛି। ତେଣୁ ଅଟଳ ବସ ଷ୍ଟାଣ୍ଡର ହିସାବରେ କୌଣସି ପ୍ରକାର ଅର୍ଥ ଆତ୍ମସାତ୍ କିମ୍ବା ଜାଲିଆତି ଘଟିନଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।ଏହାସହ ଉକ୍ତ ବିଲ୍ର ନକଲ କିପରି ବାହାରକୁ ଲିକ୍ ହେଲା ଏବଂ ସାମାଜିକ ମାଧ୍ୟମରେ ଭାଇରାଲ୍ କରାଗଲା, ସେ ସମ୍ପର୍କରେ ମଧ୍ୟ ଆବଶ୍ୟକୀୟ ତଦନ୍ତ କରିବାକୁ ସୁପାରିଶ କରାଯାଇଛି। ସେହିପରି ଭ୍ରାନ୍ତିକର ଓ ମିଥ୍ୟା ଖବର ପ୍ରଚାର କରି ସାଧାରଣ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଗ ପଦକ୍ଷେପ ଗ୍ରହଣ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
ନୂଆପଡା ଜିଲ୍ଲା ପ୍ରଶାସନ ସଦା ସ୍ୱଚ୍ଛ, ଜବାବଦେହି ଓ ନିୟମାନୁସାରେ ପ୍ରଶାସନିକ କାର୍ଯ୍ୟ ସଂପାଦନ ପ୍ରତି ପ୍ରତିବଦ୍ଧ ରହିଛି। ଲୋକମାନଙ୍କ ବିଶ୍ୱାସ ଓ ପ୍ରଶାସନିକ ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରତ୍ୟେକ ଅଭିଯୋଗର ନିରପେକ୍ଷ ଯାଞ୍ଚ କରାଯାଉଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।
