ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପକ୍ଷରୁ ସାମାଜିକ ଉତ୍ସବ ଅନୁଷ୍ଠିତ
ବ୍ରହ୍ମପୁର, ତା. ୨୨/୦୫ :
ରାଜ୍ୟର ଅଗ୍ରଣୀ ବହୁମୁଖୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳାକେନ୍ଦ୍ର” ପକ୍ଷରୁ କଳାକେନ୍ଦ୍ର ପରିସରରେ ବରିଷ୍ଠ ସାରସ୍ୱତ ସାଧକ ତଥା ସାଂସ୍କୃତିକ ସଂଗଠକ ସୁବାସ ଚନ୍ଦ୍ର ସାହୁ ଏବଂ କଳାକେନ୍ଦ୍ରର ଉତ୍ତର ଦାୟାଦ ସାଇ ପ୍ରସାଦ ସାବତଙ୍କ ଜନ୍ମ ଦିନ ପାଳନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୂଖ୍ୟ ଅତିଥି, ବରିଷ୍ଠ ଯାତ୍ରା କଳାକାର ମଞ୍ଚମୋହନ ରାଜେନ୍ଦ୍ର ପତି ବିଶିଷ୍ଟ ଅତିଥି, ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ ମୂଖ୍ୟ ବକ୍ତା ଏବଂ ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାକେନ୍ଦ୍ର ତରଫରୁ ଆୟୋଜିତ ଏଭଳି ଉତ୍ସବର ଭୁୟସୀ ପ୍ରଶଂସା କରିବା ସହିତ ଉଭୟ ଶ୍ରୀ ସାହୁ ଏବଂ ଶ୍ରୀମାନ ସାବତଙ୍କୁ ଜନ୍ମଦିନ ବଧେଇ ଜଣେଇଥିଲେ। ଜଣେ ସାମ୍ପ୍ରତିକ କାଳର ପ୍ରଥିତଯଶା ବ୍ୟକ୍ତିତ୍ୱ ତ ଅପର ଜଣକ ବହୁ ସମ୍ଭାବନାର ଉତ୍ସ। ଏଭଳି ଅଭିନଵ ଜନ୍ମଦିନ ପାଳନୋତ୍ସବ ଆୟୋଜନ ନିମନ୍ତେ କଳାକେନ୍ଦ୍ର କର୍ତ୍ତ୍ତୃପକ୍ଷଙ୍କୁ ଅତିଥିମାନେ ସାଧୁବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ କଳାକେନ୍ଦ୍ର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ମହେନ୍ଦ୍ର କୁମାର ସାହୁ, କିରଣ କୁମାର ମହାନ୍ତି, ସୂର୍ଯ୍ୟ ନାରାୟଣ ପାତ୍ର, ରାମ ପ୍ରସାଦ ସାବତ, ଆଶୁତୋଷ ମହାପାତ୍ର, ଉମମଣୀ ସାବତ, ସୁମତି ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଶ୍ରୁତି ସ୍ୱାଧୀନା ସାବତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
