
ପଞ୍ଚାୟତ ନିର୍ବାଚନ ପୂର୍ବରୁ ରଘୁନାଥପୁର ବ୍ଲକ ରେ ବିଜେଡି ବିଜେପି କନ୍ଦଳ, ମାନସିକ ଚାପରେ ବ୍ଲକ ପ୍ରଶାସନ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି l ଗୋଟିଏ ପଟେ ଉନ୍ନୟନ ମୂଳକ ସମସ୍ତ କାର୍ଯ୍ୟ ବିଜେପି ନେତା ଓ କର୍ମୀ କରିବାକୁ କହୁଥିବା ବେଳେ ଅନ୍ୟପଟେ ବ୍ଲକ କାର୍ଯ୍ୟାଳୟ ଟି ବିଜେଡି ଦଖଲରେ ଥିବାରୁ ସେମାନେ ରାଜି ନହେବାକୁ ନେଇ ଦଳା ଚକଟା ଚାଲିଛି, ଯେଉଁଥିପାଇଁ ସମସ୍ତ ସରକାରୀ କାର୍ଯ୍ୟ ସବୁ ଏକ ପ୍ରକାର ଠପ ହୋଇଯିବାର ଆଶଙ୍କା ସୃଷ୍ଟି କଲାଣି। ଏପରି ବିଦ୍ରୋହର ସୂତ୍ରପାତ ଆରମ୍ଭ ହୋଇଛି ଗତ ରାଜ୍ୟସଭା ନିର୍ବାଚନରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ କ୍ରସ ଭୋଟିଂ କରି ବିଜେଡିରୁ ନିଲମ୍ବିତ ହେବାପର ଘଟଣା କୁ ନେଇ। ତିର୍ତ୍ତୋଲ ବିଧାୟକ ସମସ୍ତ ସରକାରୀ କାର୍ଯ୍ୟ ନକରି ଦେବା ଚକରରେ ଥିବାରୁ ବ୍ଲକ କାର୍ଯ୍ୟାଳୟ ରେ ଏପରି ବିଶୃଙ୍ଖଳା ସୃଷ୍ଟି ହେବାରେ ଦାନା ବାନ୍ଧୁଛି। ଏଠାରେ ଉଲ୍ଲେଖଯୋଗ୍ଯ ଯେ ଗତ ପଞ୍ଚାୟତ ନିର୍ବାଚନରେ ୧୯ ଗୋଟି ପଞ୍ଚାୟତ ମଧ୍ୟରୁ ସମସ୍ତ ପ୍ରାଥୀ ବିଜେଡି ସପକ୍ଷରେ ଯାଇଥିଲା ଏବଂ ବ୍ଲକ ରେ ଆଜି ପର୍ଯ୍ୟନ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ତାଙ୍କ ଦଖଲରେ ରହିଅଛି। ଏହି ସମିତି ର ସମସ୍ତ ପ୍ରତିନିଧି ଗତ ଲୋକସଭା ନିର୍ବାଚନ ସମୟରେ ବିଜେଡି ଦଳ ବିଧାୟକ ପ୍ରାଥୀ ଙ୍କୁ ଜିତାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନୂଆ ସରକାର ଆସିବା ପରଠୁ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ବେଶ୍ ସୁରୁଖୁରରେ କାର୍ଯ୍ୟ କରୁଥିଲା ଓ ସମସ୍ତ ସରକାରୀ କାର୍ଯ୍ୟ ରେ ସହାୟତା ମିଳିଥିଲା l କିନ୍ତୁ ରାଜ୍ୟସଭା ନିର୍ବାଚନ ପରେ ତିର୍ତ୍ତୋଲ ବିଧାୟକ ରଘୁନାଥପୁର ବ୍ଲକ ବାତାବରଣ କୁ ଏକ ପ୍ରକାର କଳୁଷିତ କରିଦେଲେଣି, ଯେଉଁଥିପାଇଁ ସରକାରୀ କାର୍ଯ୍ୟ ସବୁ ଠପ ହୋଇଯିବା ସହ ବିବାଦ ବଢି ବଢି ଚାଲିଛି ା କିଛିଦିନ ତଳେ ଅନୁଷ୍ଠିତ ପଞ୍ଚାୟତସମିତି ବୈଠକରେ ବିଭିନ୍ନ ଯୋଜନାରେ ହେବାକୁ ଥିବା କାର୍ଯ୍ୟ ଗାଇଡଲାଇନ ଅନୁଯାଇ ଉଭୟ ଅଧ୍ୟକ୍ଷା ଓ ବିଡିଓଙ୍କ ସହମତି ଭିତ୍ତିରେ ହେବାକୁ ସ୍ଥିର ହୋଇଥିଲା କିନ୍ତୁ ପ୍ରଛଦପଟ ରେ ଥିବା ଖଳନାୟକ ତିର୍ତ୍ତୋଲ ବିଧାୟକ ମୁଣ୍ଡ ପୁରାଇ ଏଥିରେ ରାଜି ନହୋଇ ବିଡିଓ ଙ୍କୁ ନାଲି ଆଖି ଦେଖାଇବା ଦ୍ଵାରା ପରିସ୍ଥିତି ବର୍ତ୍ତମାନ ଜଟିଳ ରୂପ ଧାରଣ କରିଛି। ଯେଉଁଥିପାଇଁ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚମାନେ ବିଡିଓଙ୍କ ଅସହଯୋଗ ମନୋଭାବକୁ ବିରୋଧ କରି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରାଙ୍କ ନେତୃତ୍ୱରେ ସକାଳ ୮ ଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପଞ୍ଚାୟତସମିତି ଗାଇଡଲାଇନ ଆଧାରରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିଙ୍କ ପରାମର୍ଶ କ୍ରମେ ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନକୁ ଖର୍ଚ୍ଚ କରାଯାଉ ବୋଲି ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ ଦାବି ରଖିଛନ୍ତି। ରଘୁନାଥପୁର ବିଡିଓ ଧାରଣା ସ୍ଥଳରେ ପହଞ୍ଚି ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ସାଧାରଣଜନତାଙ୍କ ହିତ ପାଇଁ ଧାରଣା ଜାରି ରହିବ ବୋଲି ସେ ପ୍ରକାଶ କରିଥିଦା ବେଳେ ଅନ୍ୟପକ୍ଷେ ବିଡିଓ ବିରଞ୍ଚି ନାରାୟଣ ବେହେରା ଏ ପ୍ରସ୍ତାବ ରେ ରାଜି ହୋଇନଥିଲେ। ଏଭଳି ଛକାପଂଝା ଲାଗିରହିଥିବା ବେଳେ ରଘୁନାଥପୁର ବ୍ଲକ ପ୍ରଶାସନ ଏକ ପ୍ରକାର ହରଡ ଘଣାରେ ପଡିଗଲା ପରି ମନେ ହେଉଛି। ଦୀର୍ଘଦିନ ଧରି ବିଭିନ୍ନ ସରକାରୀ ଯୋଜନାରେ ଆସୁଥିବା ଅନୁଦାନ ଅର୍ଥ ଖର୍ଚ୍ଚ ହୋଇନପାରି ପଡି ରହିଥିବାବେଳେ ସାଧାରଣଜନତାଙ୍କ ଜନକଲ୍ୟାଣ ମୂଳକ କାର୍ଯ୍ୟ ସବୁ କିଛି ହୋଇପାରୂନି। ଏପରି ବାର୍ତ୍ତା ବରଣ ଲାଗିରହିଲେ ପଞ୍ଚାୟତ ନିର୍ବାଚନ ବେଳକୁ ସରକାରୀ ଦଳ ଧୂଳିସାତ୍ ହୋଇଯିବ। ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଲାଗିରହିଥିବା ବେଳେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଡିଓ ଶ୍ରୀ ବେହେରା ଧାରଣା ସ୍ଥଳକୁ ଆସି ବୁଝାସୁଝା କରିଥିଲେବି ଧାରଣାକାରୀ ନିଜ ଜିଦିରେ ଅଟଳ ରହିଥିଲେ, ଏପରିକି ଖରାବେଳେ ସେଠାରେ ବସିରହି ମଧ୍ୟାହ୍ନ ଭୋଜନ କରିଥିଲେ ଓ ରାତ୍ରି ଯାକ ଏଠାରେ ରହିବେ ବୋଲି କହିଥିଲେ। ରଘୁନାଥପୁର ବ୍ଲକ ରେ ଏପରି ଏକ ଜୋରଦାର ଲଢ଼ାଇ ଚାଲୁଥିବା ବେଳେ ଉପରିସ୍ଥ ଅଧିକାରୀମାନଙ୍କୁ ଦେଖିବାକୁ ମିଳିନଥିଲା, କେବଳ ବିଡିଓ ଓ ସରକାରୀ କର୍ମଚାରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ରଘୁନାଥପୁର ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏପରି ଲଢେଇ ଲାଗିରହିଲେ ବ୍ଲକ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ଯିବ ।
