*ନୁଆପଡ଼ା ସ୍ୱର୍ଣ୍ଣା ଲକ୍ଷ୍ମୀ ଜୁଏଲାରୀରୁ ସୁନା ଚେନ ଲୁଟ୍: ୨୪ ଘଣ୍ଟା ମଧ୍ୟରେ ୩ ଡକାୟତ ଗିରଫ, ସୁନା*
ନୁଆପଡ଼ା (ମିଖାଏଲ ନନ୍ଦ):
ତା-୦୮/୦୫
ନୁଆପଡ଼ା ପୋଲିସକୁ ବଡ଼ ସଫଳତା। ସ୍ଥାନୀୟ ଶ୍ରୀରାମ କମ୍ପ୍ଲେକ୍ସସ୍ଥିତ “ସ୍ୱର୍ଣ୍ଣା ଲକ୍ଷ୍ମୀ” ଜୁଏଲାରୀ ଦୋକାନରୁ ସୁନା ଚେନ ଲୁଟ୍ ଘଟଣାରେ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଡକାୟତମାନେ ମଧ୍ୟପ୍ରଦେଶର ନିମୁଚ୍ ଜିଲ୍ଲାର ବୋଲି ଜଣାପଡିଛି।ଘଟଣାକ୍ରମ:ମେ ୭ ତାରିଖରେ ୨ ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ଦୋକାନକୁ ପ୍ରବେଶ କରିଥିଲେ। ସେମାନେ ୫ଟି ସୁନା ଚେନ ଥିବା ଏକ ବାକ୍ସ ଛଡ଼ାଇ ନେଇ ନମ୍ବର ପ୍ଲେଟ୍ ନଥିବା ଏକ ନୀଳ ରଙ୍ଗର ବାଲେନୋ କାର୍ରେ ଫେରାର ହୋଇଯାଇଥିଲେ। ଦୋକାନ ମାଲିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗାଡ଼ିକୁ ପିଛା କରିଥିଲେ ମଧ୍ୟ ଧରିବାରେ ବିଫଳ ହୋଇଥିଲେ।ପୋଲିସର କାର୍ଯ୍ୟାନୁଷ୍ଠାନ:ଖବର ପାଇ ନୁଆପଡ଼ା ପୋଲିସ ତୁରନ୍ତ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ସୀମାନ୍ତ ଥାନାଗୁଡ଼ିକ ସହ ତଥ୍ୟ ଆଦାନପ୍ରଦାନ ଏବଂ ରଣନୈତିକ ସ୍ଥାନରେ ନାକାବନ୍ଦୀ କରାଯାଇଥିଲା। ପୋଲିସ ଏହି ୩ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୦ ଗ୍ରାମ ଓଜନର ୫ଟି ସୁନା ଚେନ (ପ୍ରାୟ ୭.୫ ଲକ୍ଷ ଟଙ୍କା ମୂଲ୍ୟର), ୩ଟି ମୋବାଇଲ, ବାଲେନୋ କାର୍, ଏକ ଅସ୍ତ୍ରଶସ୍ତ୍ର, ୮,୪୬୦ ଟଙ୍କା ନଗଦ ଏବଂ ୩ଟି ବାଙ୍ଗଲ୍ ଜବତ କରିଛି।ଗିରଫ ଅଭିଯୁକ୍ତ:ପ୍ରତୀକ ଗୁର୍ଜର (୨୫)ରୋହିତ ଚରଣ (୧୯)ସନ୍ଦୀପ ଗୁର୍ଜର (୨୪)ନୁଆପଡ଼ା ଏସ୍.ପି. ଅମୃତପାଲ ସିଂହ, ଏସ୍.ଡି.ପି.ଓ ଖିରେଶ୍ୱର ସାହୁ ଏବଂ ଆଇ.ଆଇ.ସି ଗଙ୍ଗାଧର ମେହେର ଏହି ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ସହ ଜଡିତ ଥିବା ସନ୍ଦେହ କରାଯାଉଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
