*ସିଏମ୍ ଟ୍ରଫି ଅଣ୍ଡର-୧୪ ଟୁର୍ଣ୍ଣାମେଣ୍ଟରେ ତୃଣମୂଳ ସ୍ତରର ଫୁଟବଲ୍ ପରିସଂସ୍ଥାକୁ ସୁଦୃଢ଼ କରୁଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍*
କଳିଙ୍ଗନଗର,ଭଞ୍ଜଦୁତ ବ୍ୟୁର (ମଇ ୭): ଓଡ଼ିଶା ସରକାରଙ୍କ ଦ୍ୱାରା ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଏଫଏଓ) ଏବଂ ଯାଜପୁର ଆଥଲେଟିକ୍ ଆସୋସିଏସନ୍ର ମିଳିତ ସହଯୋଗରେ ଆୟୋଜିତ ‘ସିଏମ୍ ଟ୍ରଫି ଅଣ୍ଡର-୧୪’ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିକଟରେ ଯାଜପୁର ରୋଡ୍ ସ୍ଥିତ ବ୍ୟାସନଗର ଷ୍ଟାଡିୟମଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ତୃଣମୂଳ ସ୍ତରରେ ଫୁଟବଲର ପ୍ରସାର, ନୂତନ ପ୍ରତିଭା ଅନ୍ୱେଷଣ ଏବଂ ଜିଲ୍ଲାର ୧୪ ବର୍ଷରୁ କମ୍ ବୟସର ବାଳକ ଓ ବାଳିକାମାନଙ୍କୁ ପ୍ରତିଯୋଗିତାମୂଳକ ସୁଯୋଗ ଯୋଗାଇଦେବା କ୍ଷେତ୍ରରେ ଏହି ଟୁର୍ଣ୍ଣାମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାଜିଛି । ଏହି ଟୁର୍ଣ୍ଣାମେଣ୍ଟକୁ କୋରେଇ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡୁ, ବ୍ୟାସନଗର ପୌରପାଳିକା ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ, ଯାଜପୁର ଆଥଲେଟିକ୍ ଆସୋସିଏସନ୍ର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ଏବଂ ସମ୍ପାଦକ ସମ୍ବିତ ମହାନ୍ତି ପ୍ରମୁଖ ଉଦ୍ଘାଟନ କରିଥିଲେ । ଉଦ୍ଯାପନୀ ଉତ୍ସବରେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ରନର୍ସଅପ୍ ଦଳଗୁଡ଼ିକୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଏଫଏଓର ବିଶିଷ୍ଟ ଚୟନକର୍ତ୍ତା ସଞ୍ଜୀବ ପାଟ୍ଟଶାଣୀ, ପୂର୍ବତନ ଖେଳାଳି ସୁନୀଲ ସର୍ଦ୍ଦାର ଓ ଚନ୍ଦ୍ର ମୁଦୁଲି ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ୟୁଥ୍ ଡେଭଲପମେଣ୍ଟ କୋଚ୍ ନାରାୟଣ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ ।
ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏହାର କଳିଙ୍ଗନଗର ପରିସଂସ୍ଥା ଅନ୍ତର୍ଗତ କଳିଙ୍ଗନଗର, ସୁକିନ୍ଦା ଏବଂ ବ୍ରାହ୍ମଣୀପାଳ ସ୍ଥିତ କେନ୍ଦ୍ରଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ତୃଣମୂଳ ସ୍ତରର କ୍ରୀଡ଼ା ବିକାଶ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ପ୍ରତିଯୋଗିତାରେ ସର୍ବମୋଟ ୧୪୧ ଜଣ ଖେଳାଳି ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଫାଉଣ୍ଡେସନ୍ର ବିଭିନ୍ନ କେନ୍ଦ୍ର ରୁ ପ୍ରଶିକ୍ଷଣ ପାଇଛନ୍ତି ।
ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ ଗଠିତ ଦଳଗୁଡ଼ିକ ଉଭୟ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ବାଳକ ବର୍ଗରେ ‘କଳିଙ୍ଗନଗର ଏସ୍.ଏ.’ ଚାମ୍ପିଅନ୍ ହୋଇଥିବା ବେଳେ ‘କ୍ରୋମ୍ ଏଫ୍ସି’ ରନର୍ସଅପ୍ ହୋଇଛି । ସେହିପରି ବାଳିକା ବର୍ଗରେ ‘ନାକାଡାଇ ଏଫ୍ସି’ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ବେଳେ ‘ଦକ୍ଷିଣପାଶି ଏଫ୍ସି’ ରନର୍ସଅପ୍ ଘୋଷିତ ହୋଇଛି । ଫାଇନାଲରେ ଫାଉଣ୍ଡେସନ୍ ପ୍ରଶିକ୍ଷାର୍ଥୀମାନଙ୍କର ଏହି ଦୃଢ଼ ଉପସ୍ଥିତି ସୁବ୍ୟବସ୍ଥିତ ପ୍ରଶିକ୍ଷଣ, ନିରନ୍ତର ମାର୍ଗଦର୍ଶନ ଏବଂ ଦୀର୍ଘକାଳୀନ ବିକାଶମୂଳକ ପ୍ରୟାସର ପ୍ରଭାବକୁ ପ୍ରଦର୍ଶିତ କରୁଛି ।
ନିରନ୍ତର କୋଚିଂ ସହାୟତା ଏବଂ ସ୍ଥାନୀୟ ଲୋକଙ୍କ ସହ ସହଭାଗିତା ମାଧ୍ୟମରେ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଗ୍ରାମାଞ୍ଚଳ ଓ ଜନଜାତିର ଯୁବବର୍ଗଙ୍କୁ ଫୁଟବଲରେ ଅଂଶଗ୍ରହଣ କରିବା, ଜିଲ୍ଲା ସ୍ତରରେ ପ୍ରତିଯୋଗିତା କରିବା ଏବଂ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି କରିବାରେ ସହାୟତା ଜାରି ରଖିଛି ।
