*ନୂଆପଡ଼ା ଭାନପୁର ପଞ୍ଚାୟତର ମସାନକୁଣ୍ଡାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
ତା ୦୬/୦୪:
ନୂଆପଡ଼ା ଜିଲ୍ଲାର ଭାନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମସାନକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ନିରାକରଣ ନିମନ୍ତେ ଏକ ବ୍ୟାପକ ସଚେତନତା ଶିବିର ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡଃ ଦ୍ବାରିକାନାଥ ଶତପଥୀ, ବିଡିଓ ରୋହିତ ଭୋଇ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମନିଧି ଭୋଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ସ୍ଥାନୀୟ ସରପଞ୍ଚ ବିଜୟ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସଭା ପରିଚାଳନା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ।ସଭାରେ ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିଥିଲେ।
ନିଜ ଅଭିଭାଷଣରେ ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଫଳରେ ନୂଆପଡ଼ା ରାଜ୍ୟ ଓ ଜାତୀୟ ସ୍ତରରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି। ପ୍ରବାସୀ ଶ୍ରମିକ ସମସ୍ୟା ନିରାକରଣ ପାଇଁ ଲୋକଙ୍କ ସହଭାଗିତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରତି ଶ୍ରମିକ ପରିବାରକୁ ୩୦୦ ଦିନର କାମ ଯୋଗାଇ ଦେବା ଲକ୍ଷ୍ୟ ରହିଥିବା ସହିତ ଗ୍ରାମରେ ରହି ଆର୍ଥିକ ସ୍ୱାବଳମ୍ବନ ହାସଲ କରିବାକୁ ସେ ଆହ୍ୱାନ ଦେଇଥିଲେ। ସମସ୍ତେ ମିଶିମିଶି ପ୍ରବାସମୁକ୍ତ ଗ୍ରାମ ପଞ୍ଚାୟତ ଗଢ଼ିବା ପାଇଁ ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ “ଝିଅ ପାଇଁ ଗଛଟିଏ” ଓ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” ପାଳନ କରାଯାଇଥିଲା। ଜିଲ୍ଲାପାଳ ଜଣେ ନବଜାତ ଶିଶୁ କନ୍ୟାକୁ କୋଳରେ ଧରି ତାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ଚାରା ଓ ଉପହାର ପ୍ରଦାନ କରିଥିଲେ। ସେହିପରି, ଜଣେ ଗର୍ଭବତୀ ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ ଓ ଉପହାର ବଣ୍ଟନ କରାଯାଇଥିଲା।
ସ୍ଥାନୀୟ ସ୍କୁଲ୍ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ଓ ୧୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଶ୍ରମ ବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକରୀଙ୍କୁ ପ୍ରଥମ କିସ୍ତି ପେନସନ ବଣ୍ଟନ କରାଯାଇଥିଲା। ଏହି ଅବସରରେ, “ସ୍ୱଚ୍ଛତା ଦୂତ ପୁରସ୍କାର” ମଧ୍ୟ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟକ୍ରମରେ “ପକ୍ଷୀ ପାଇଁ ଦିନଟିଏ” ପାଳନ କରାଯାଇ ପକ୍ଷୀମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ “ପ୍ରବାସମୁକ୍ତ ଓ ଉନ୍ନତ ପଞ୍ଚାୟତ” ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ।
