ଚତୁର୍ଥ ଓଡିଶୀ ସଙ୍ଗୀତ ମହୋତ୍ସବ
ଓଡ଼ିଶାର ପ୍ରାଚୀନ ରାଗ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି
ଶାସ୍ତ୍ରୀୟ ସଂଗୀତାନୁଷ୍ଠାନ “ଉଡ୍ର ସଙ୍ଗୀତ ପରିଷଦ” ତରଫରୁ ବ୍ରହ୍ମପୁର ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ଠାରେ ଚତୁର୍ଥ ଓଡିଶୀ ସଙ୍ଗୀତ ମହୋତ୍ସବ : ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବରିଷ୍ଠ ସଙ୍ଗୀତଜ୍ଞ ଆଚାର୍ଯ୍ୟ ସିମାଞ୍ଚଳ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ପ୍ରାକ୍ତନ ସଙ୍ଗୀତ ନାଟକ ଏକାଡେମୀ ସଚିବ ତଥା ବରିଷ୍ଠ କଣ୍ଠଶିଳ୍ପୀ ଡଃ. ସୁଧା ମିଶ୍ର ବିଧିବତ୍ ଉଦଘାଟନ କରିଥିଲେ। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ପ୍ରଣତି ପାତ୍ର ବିଶିଷ୍ଟ ଅତିଥି, ବରିଷ୍ଠ ସାରସ୍ୱତ ସାଧକ ପ୍ରାଧ୍ୟାପକ ଡଃ. କୁଳମଣି ଓଝା ମୂଖ୍ୟ ବକ୍ତା ଏବଂ ଭଞ୍ଜ ସାହିତ୍ୟ ଗବେଷକ କାମରାଜୁ ସାହାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଶୀ ସଂଗୀତର ପ୍ରାଚୀନତା, ଉଚ୍ଚାଙ୍ଗ ଗାୟନ ପରମ୍ପରା ଓ ମୌଳିକତା ଉପରେ ବିଷଦ ଆଲୋଚନା ସହିତ ତାହାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ବରିଷ୍ଠ କଣ୍ଠଶିଳ୍ପୀ ଡଃ. ସୁଧା ମିଶ୍ର, ଗୁରୁ ଶତ୍ରୁଘ୍ନ ନାୟକ, ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ସାଂସ୍କୃତିକ ସଂଗଠକ ତଥା ଅଭିନେତା ସୁବାସ ଚନ୍ଦ୍ର ସାହୁ ରୋଶନ୍, କଣ୍ଠଶିଳ୍ପୀ ସ୍ମିତା ସିହ୍ନା, ସୀତାର ବାଦକ ଗୁରୁ ସତ୍ୟନାରାୟଣ ଗୁରୁ, ଓଡିଶୀ ସଙ୍ଗୀତ ଗବେଷକ ପ୍ରତୀକ ପଟ୍ଟନାୟକ ପ୍ରମୁଖଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ସ୍ୱାଗତ ଭାଷଣ ଓ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ।
ମହୋତ୍ସବର ଦ୍ଵିତୀୟ ପର୍ଯ୍ୟାୟରେ ଡଃ. ସୁଧା ମିଶ୍ର, ସ୍ମିତା ସିହ୍ନା (ପାଟନା), ଉମାଶଙ୍କର ଦାଶ, ରବି ନାରାୟଣ ଦାଶ, ଅଶୋକ ମହାପାତ୍ର, ଶିବରାମ ରଣା, ରୀତିସ୍ନିଗ୍ଧା ପ୍ରଧାନ, ଦୂର୍ଗା ପ୍ରସାଦ ଦାଶ, ଅଶୋକ କୁମାର ସ୍ୱାଇଁ, ରଘୁନାଥ ପାତ୍ର, ଗଣେଶ୍ୱର ସାହୁ, ଆଦ୍ୟାଶା ମିଶ୍ର, ଜୟଶ୍ରୀ ମଣ୍ଡଳ, ମମତା କୁମାରୀ ମହାପାତ୍ର, ଜ୍ୟୋତ୍ସ୍ନା କୁମାରୀ ଦେବୀ, ମୋନାଲିସା ସାବତ, କୁସୁମ ପଟ୍ଟନାୟକ, ଗୋପାଳ କୃଷ୍ଣ ନାହାକ, ଲତା ପଟ୍ଟନାୟକ ପ୍ରମୁଖ ଓଡିଶୀ ଛାନ୍ଦ, ଚମ୍ପୂ, ଗୀତଗୋବିନ୍ଦ ଆଦି ଗାନ କରିଥିଲେ। ଗୁରୁ ଶେଖର ସୁମନ ମାଝିଙ୍କ ଛାତ୍ରୀମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡଃ. ନୃସିଂହ ଚରଣ ପ୍ରଧାନ, ସୁନିତା ତ୍ରିପାଠୀ, ପ୍ରଣତି ପାତ୍ର ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଅତ୍ୟନ୍ତ ଉପାଦେୟ ଓ ବିଶେଷ ସଫଳତା ଲାଭ କରିଥିବା ପରିଦୃଷ୍ଟ।
