*ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା*
ନୋଏଡା ; ସୁଦିପ୍ତା ମହାନ୍ତିଙ୍କର ଅକାଳ ବିୟୋଗ ଯୋଗୁଁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଗଭୀର ଶୋକ ଓ ଅଭୂତପୂର୍ବ ସମବେଦନା ପ୍ରକାଶ ପାଇଥିବା ଦେଖାଯାଇଛି। ଚଉବନ ବର୍ଷୀୟା ଶ୍ରୀମତୀ ମହାନ୍ତିଙ୍କର ଗତ ୧୮ ତାରିଖ ଶନିବାର ଦିନ ସକାଳ ୮ ଟା ୧୫ ମିନିଟରେ ନୋଏଡାର ଏକ ଘରୋଇ ଡ଼ାକ୍ତରଖାନାରେ ନିମୁନିଆ ଯୋଗୁଁ ନିଧନ ଘଟିଥିଲା । ନୋଏଡାଠାରେ ସେହିଦିନ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ବର୍ଗତଃ ମହାନ୍ତିଙ୍କର ସ୍ୱାମୀ ସ୍ୱନାମଧନ୍ୟ ଚାଟାର୍ଡ ଏକାଉଣ୍ଟାଣ୍ଟ ,ଏଟିଡି ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ, ସାମୁଦାୟିକ ବିକାଶ ସମିତିର ସଭାପତି, ୱାର୍ଲଡ ଓଡ଼ିଶା ସୋସାଇଟି ଉତ୍ତର ପ୍ରଦେଶ ଶାଖାର ମୁଖ୍ୟ ପୃଷ୍ଠପୋଷକ ଏବଂ ନୋଏଡା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ଡ଼ଃ ମନୋରଞ୍ଜନ ମହାନ୍ତି ଅଟନ୍ତି। ଶ୍ରୀମତୀ ମହାନ୍ତି ତାଙ୍କର ଏକମାତ୍ର କନ୍ୟା ଆର୍ଣ୍ଣି ମହାନ୍ତିଙ୍କୁ ଛାଡ଼ି ଯାଇଛନ୍ତି ।
ସ୍ବର୍ଗତଃ ମହାନ୍ତିଙ୍କର ନିଧନରେ ତାଙ୍କର ଶତାଧିକ ପ୍ରଶଂସକ, ବନ୍ଧୁବାନ୍ଧବ, ପରିବାରବର୍ଗ, ଶୁଭେଛୁ ଏବଂ ବିଭିନ୍ନ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ଶୋକପ୍ରକାଶ କରିବା ସାଙ୍ଗକୁ ତାଙ୍କର ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀମତୀ ସୁଦିପ୍ତା ମହାନ୍ତିଙ୍କର ଭାଇ ମଣିପାଲ ହସ୍ପିଟାଲର ସିପିଓ ପାର୍ଥ ଦାସ, ଭାଉଜ ଜସ୍ମିନ ଦାସ, ଭଉଣୀ ସ୍ୱାଗତା ପଟ୍ଟନାୟକ, ତାଙ୍କ ସ୍ୱାମୀ ଅନୁପମ ପଟ୍ଟନାୟକ, ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଓଡ଼ିଶା ପଜିଟିଭ୍ର ପ୍ରତିଷ୍ଠାତା ଆଡଭୋକେଟ ସଞ୍ଜୀବ କୁମାର ମହାନ୍ତି, ବିଜୟନୀ ଫାଉଣ୍ଡେସନ ର ଅଧ୍ୟକ୍ଷା ରୀତା ପାତ୍ରଏବଂ ବିଜେପିର ନୋଏଡା ଜିଲ୍ଲା ଉପାଧ୍ୟକ୍ଷ ପ୍ରମୋଦ ଭଲ ପ୍ରମୁଖ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ସ୍ବର୍ଗତଃ ମହାନ୍ତି ଜଣେ ଉତ୍ତମ ପତ୍ନୀ ଏବଂ ଯତ୍ନଶୀଳ ମା’ ଥିଲେ । ସେ ତାଙ୍କର ବହୁବିଧ ସୁଗୁଣ ଯଥା:- ଆଦର ମନୋବୃତ୍ତି, ଭଦ୍ର ବ୍ୟବହାର, କୋମଳ ହୃଦୟ ଏବଂ ଦରଦୀ ପ୍ରକୃତି ପାଇଁ ସଦା ସ୍ମରଣୀୟ ହୋଇ ରହିବେ । ଓଡ଼ିଶାର ବାଲେଶ୍ୱର ଜିଲ୍ଲା ସ୍ଥିତ ସୁନହଟଠାରେ ସେ ୧୯୭୨ ମସିହା ଜାନୁୟାରୀ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମାତା ସବିତା ଦାସ ଏବଂ ପିତା ସୁବ୍ରତ ଦାସ ଅଟନ୍ତି । ଜଣେ ମେଧାବୀ ଛାତ୍ରୀ ଭାବରେ ସେ ଫକୀର ମୋହନ କଲେଜରୁ ସ୍ନାତକ ଶିକ୍ଷା ଲାଭ କରି ସାରିବା ପରେ , ଉତ୍କଳ ବିଶ୍ଵବିଦ୍ୟାଳୟ ବାଣୀବିହାରରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରିଥିଲେ । ୧୯୯୬ ମସିହା ଡ଼ିସେମ୍ବର ୬ ତାରିଖରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁରର ବାଖରପୁର ନିବାସୀ ସ୍ବର୍ଗତଃ ପ୍ରମିଳାବାଳା ମହାନ୍ତି ଏବଂ ସ୍ବର୍ଗତଃ ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କର ସୁପୁତ୍ର ମନୋରଞ୍ଜନ ମହାନ୍ତିଙ୍କୁ ସେ ବିବାହ କରିଥିଲେ ।
ସୁଦିପ୍ତାଙ୍କର ଆକସ୍ମିକ ବିୟୋଗ, ଶୋକାକୁଳ ପରିବାର ବର୍ଗ ଓ ବନ୍ଧୁବାନ୍ଧବମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସ୍ୱାମୀ ଡ଼ଃ ମନୋରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି । ତାଙ୍କର ଅଭୁଲା ସ୍ମୃତି ଚୀରଦିନ ପାଇଁ ସେମାନଙ୍କ ନିକଟରେ ଅମର ହୋଇ ରହିବ ବୋଲି ସେ ସୂଚାଇଛନ୍ତି। ଏହି ଦୁର୍ଦ୍ଦିନ ସମୟରେ ବ୍ୟକ୍ତିଗତ ଭାବରେ,ବାର୍ତ୍ତା ମାଧ୍ୟମରେ ଏବଂ ପ୍ରାର୍ଥନା ଦ୍ୱାରା ଶୋକ ଓ ସମବେଦନା ବ୍ୟକ୍ତ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତି ଡ଼ଃ ମହାନ୍ତି କୃତଜ୍ଞତା ପ୍ରକାଶ କରିଛନ୍ତି ।
