ମାଲକାନଗିରି –
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ।
ମାଲକାନଗିରି ଜିଲ୍ଲାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୯ ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ମାଲକାନଗିରି ଜିଲ୍ଲାର କୋଣ ଅନୁକୋଣରୁ ବିଜୁ ଜନତା ଦଳର କର୍ମୀ ମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ଏବଂ ବିଜୁବାବୁ ଅମର ରହେ ନାରା ଦେଇଥିଲେ। ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ଚୀରସ୍ନରଣୀୟ କରିବା ପାଇଁ ବିଜେଡି ପାର୍ଟି କାର୍ଯ୍ୟାଳୟରେ ଏକ ବିରାଟ ସଭାର ଆୟୋଜନ ମଧ୍ୟ କରାଯାଇଥିଲା। ଯାହାର ନେତୃତ୍ବ ନେଇଥିଲେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମାନସ ମାଡ଼କାମି। ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ କିପରି ଦଳକୁ ସଂଗଠିତ କରି ଲୋକଙ୍କ ସେବାରେ ଦଳ କାର୍ଯ୍ୟ କରିବେ ତାହାର ମୂଳମନ୍ତ୍ର ଦେଇଥିଲେ ଶ୍ରୀଯୁକ୍ତ ମାଡ଼କାମୀ। ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ସମସ୍ତ କର୍ମୀ ମାନେ ନିଷ୍ଠାର ସହିତ କାର୍ଯ୍ୟ କରି ଦଳକୁ ବିଜୟୀ କରିବେ ବୋଲି ସଭାରେ ଆଲୋଚନା କରାଯାଇଥିଲା।ଦେଶ ତଥା ଓଡ଼ିଶା ପାଇଁ ବିଜୁବାବୁଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ବିଜେଡି ଜିଲ୍ଲା ମୂଖ୍ୟ ଶ୍ରୀଯୁକ୍ତ ମାନସ ମାଡ଼କାମି। ଆଜି ସିନା ବିଜୁବାବୁ ନାହାନ୍ତି କିନ୍ତୁ ଦେଶ ତଥା ବିଶେଷ କରି ଓଡ଼ିଶାର ଜନତା ଏହି ପ୍ରବାଦ ପୁରୁଷଙ୍କ ଜନହୀତକର କାର୍ଯ୍ୟ କେବେ ମଧ୍ୟ ଭୂଲି ପାରିବ ନାହିଁ।
