ଛତ୍ରପୁରରେ ”ଆମେ ଜାଣିବା ଆମ ବଜେଟ୍ “ କାର୍ଯ୍ୟକ୍ରମ
ଓଡିଆ ଅର୍ଥନୀତିର ଆକାର ୯.୮୮ଲକ୍ଷ କୋଟି ଟଙ୍କା
୨୦୨୬-୨୭ରୁ ୨୦୩୦-୩୧ ମଧ୍ୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଭାବେ ୪.୬୨ ଲକ୍ଷ କୋଟି ଟଙ୍କା ପାଇବ ଓଡିଶା
ଋଷିକୂଲ୍ୟା ପୁନରୁଦ୍ଧାର, ଜଳସେଚନ ବୃଦ୍ଧି, ଜୈବିକ ଚାଷୀଙ୍କୁ ପ୍ରୋତ୍ସାହନ, ଆର୍ଯ୍ୟପଲ୍ଲୀ ଫିସିଂ ହାରବର ଉପରେ ବିସ୍ତୃତ ଆଲୋଚନା
ଛତ୍ରପୁର ତା.୧୦.୦୪.୨୦୨୬ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବେଳେ କହି ଆସିଛନ୍ତି ବର୍ତ୍ତମାନର ସରକାର ଲୋକଙ୍କ ସରକାର । ତେଣୁ ଲୋକମାନେ ଯୋଜନା ଠାରୁ ଆରମ୍ଭ କରି ବଜେଟ୍ ଯାଏଁ ସମସ୍ତ କଥା ଜାଣିବା ଦରକାର । ସେହି ଅବଲୋକନରେ ଆଜି ଉଚ୍ଚଶିକ୍ଷା ବିଭାଗର କମିଶନର ଏବଂ ଗଞ୍ଜାମ ଜିଲ୍ଲା ସଚିବ ଅରବିନ୍ଦ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ”ଆମେ ଜାଣିବା ଆମ ବଜେଟ୍ “ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବାର୍ଷିକ ବଜେଟ୍ ୨୦୨୬-୨୭ ରେ ଆର୍ଥିକ ଦୁର୍ବଳ, ଯୁବକ ଯୁବତୀ, ଅନ୍ନଦାତା ଓ ନାରୀ ଶକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । ଏହା ସହିତ ଏହି ବଜେଟ୍ ରେ ସମୃଦ୍ଧ ଓଡିଶା ୨୦୩୬ ଓ ବିକଶିତ ଭାରତ-୨୦୪୭ ଭିଜନ୍ ଲକ୍ଷ୍ୟ ହାସଲ ପାଇଁ ସୁପରିକଳ୍ପିତ ବ୍ୟବସ୍ଥା କରାଯାଇଛି । ଓଡିଶାର ଅର୍ଥନୀତିର ଆକାର ୯.୮୮ ଲକ୍ଷ କୋଟି ଟଙ୍କା ଏବଂ ୨୦୨୫-୨୬ରେ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ବୋଲି ଶ୍ରୀ ଅଗ୍ରଓ୍ବାଲ ସୂଚନା ଦେଇଥିଲେ । ସରକାର ଓଡିଶାର ଅର୍ଥନୀତିକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ୍ ଡଲାର୍ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିରେ ପରିଣତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ ।
ଓଡିଶାର ଯୋଗାଯୋଗକୁ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର କେନ୍ଦ୍ର ବଜେଟ୍ ୨୦୨୬-୨୭ ରେ ୧୦୯୨୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଷୋଡଶ ଅର୍ଥ କମିଶନ୍ ତାଙ୍କର ଆଓ୍ବାର୍ଡ ପିରିୟଡ୍ (୨୦୨୬-୨୭ରୁ ୨୦୩୦-୩୧) ମଧ୍ୟରେ କେନ୍ଦ୍ରୀୟ ଟିକସ ରୁ ରାଜ୍ୟର ଅଂଶ ଭାବେ ୪.୬୨ ଲକ୍ଷ କୋଟି ଟଙ୍କା ଓଡିଶା ପାଇବ ବୋଲି ଆକଳନ କରିଛନ୍ତି ଯାହାକି ପୂର୍ବ ଆଓ୍ବାର୍ଡ ପିରିୟଡ୍ ଅର୍ଥ ଠାରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଅଧିକ ବୋଲି ସେ ସୂଚନା ଦେଇଥିଲେ । ଏହା ସହିତ କେଉଁ କ୍ଷେତ୍ରକୁ କେତେ ଅର୍ଥ ଦିଆଯାଇଛି ସେ ସମ୍ପର୍କରେ କମିଶନର ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ସଂଗଠନର କର୍ମକର୍ତ୍ତା, କ୍ଷେତ୍ର ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଗ୍ରଣୀ ସାମାଜିକ ଓ ବ୍ୟବସାୟିକ ସଂଗଠନର କର୍ମକର୍ତ୍ତା ଯଥା ସୀମାଞ୍ଚଳ ନାହାକ, କେ. ଏଲେୟା, ଡାକ୍ତର ସୁନୀଲ କୋଟା, ସଞ୍ଜିବ ରେଡୀ, ଏ ଟଙ୍କଧର ପ୍ରମୁଖ ଋଷିକୂଲ୍ୟା ପୁନରୁଦ୍ଧାର, ଜଳ ସଂରକ୍ଷଣ ପାଇଁ ବିଭିନ୍ନ ସ୍ଥାନରେ ଆନିକଟ୍, ଜୀବିକା ପାଇଁ ସ୍ଥାନାନ୍ତରଣ ସମସ୍ୟା ରୋକିବା ପାଇଁ ପ୍ରତିବର୍ଷ ୫ ପ୍ରତିଶତ ଜଳସେଚନ ବୃଦ୍ଧି, ଉତ୍ପାଦର ବିକ୍ରିବଟା ପାଇଁ ଉପଯୁକ୍ତ ବ୍ୟବସ୍ଥା, ଜୈବିକ ଚାଷର ପ୍ରୋତ୍ସାହନ, ଆର୍ଯ୍ୟପଲ୍ଲୀ ଠାରେ ପ୍ରସ୍ତାବିତ ଫିସିଂ ହାରବର ଶୀଘ୍ର କାର୍ଯ୍ୟକାରୀ କରିବା, ସମୁଦ୍ରରେ ରାତ୍ରୀ ପେଟ୍ରୋଲିଂ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ପାଇଁ ସବୁସମୟରେ ସୁବିଧା ସୁଯୋଗ, ଏମ.କେ.ସି.ଜି. ଭେଷଜ ମହାବିଦ୍ୟାଳୟ ଓ ଜିଲ୍ଲାର ସ୍ୱାସ୍ଥ୍ୟସେବାର ଉନ୍ନତିକରଣ, ହୁମ୍ମା ଠାରେ ଥିବା ୧୭୦୦ ଏକର ଜମିର ସଠିକ୍ ବିନିଯୋଗ, ଯେଉଁ କମ୍ପାନୀ ମାନେ ସରକାରଙ୍କ ପାଖରୁ ଜମି ନେଇ ସଦୁପଯୋଗ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବର୍ଷାଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା, ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଧୁନିକ ପ୍ରଶିକ୍ଷଣ ଉପରେ ଆଲୋଚନା କରାଯାଇଥିଲା । ଏହି ସବୁ ମଧ୍ୟରୁ ଯାହା ବଜେଟରେ ସାମିଲ ହୋଇନାହିଁ ତାକୁ ସାମିଲ କରିବା ପାଇଁ ବୁଦ୍ଧିଜୀବା ମାନେ ଅନୁରୋଧ କରିଥିଲେ । କମିଶନର ଶ୍ରୀ ଅଗ୍ରଓ୍ବାଲ ଏବଂ ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ । କମିଶନର ଶ୍ରୀ ଅଗ୍ରଓ୍ବାଲ ବଜେଟ ସମ୍ପର୍କରେ ଜନସାଧାରଣଙ୍କୁ ବୈଠକ, ସାମାଜିକ ଗଣମାଧ୍ୟମ ଆଦି ବିଭିନ୍ନ ମାଧ୍ୟମରେ ସଚେତନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ କୁମାରୀ ଆକବରମ୍ ସସ୍ୟ ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲାର ସମସ୍ତ ସାମାଜିକ ଓ ବ୍ୟବସାୟୀକ ସଂଗଠନର କର୍ମକର୍ତ୍ତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ
