*ନୂଆପଡାରେ ଚାକିରୀ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ନିଶୁଳ୍କ କୋଚିଂ କାର୍ଯ୍ୟକ୍ରମ*
ନୂଆପଡା(ମିଖାଏଲ ନନ୍ଦ)
ତା: ୦୮/୦୪
ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ସଶକ୍ତ କରି ସେମାନଙ୍କ ସ୍ଵପ୍ନକୁ ସାକାର କରିବା ଦିଗରେ ଏକ ଗୁରୁତ୍ତ୍ୱପୂର୍ଣ ପଦକ୍ଷେପ ନେଇଛି ନୂଆପଡା ଜିଲ୍ଲା ପ୍ରଶାସନ। ୟୁପିଏସ୍ସି ଓ ଓପିଏସ୍ସି ଭଳି ବିଭିନ୍ନ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ମାଗଣା କୋଚିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି କୋଚିଂ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ଚାକିରି ଆଶାୟୀ ଯୋଗଦେଇଥିଲେ।
ଉପସ୍ଥିତ ପ୍ରାର୍ଥୀମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଥିଲେ ଯେ, ସିଭିଲ ସର୍ଭିସ ପାଇଁ ସୁଚିନ୍ତିତ ଓ ପ୍ରଣାଳୀବଦ୍ଧ ଭାବରେ ପ୍ରସ୍ତୁତ ହେବ ଆବଶ୍ୟକ। ସଫଳତାର ଟ୍ରେନ୍ ଧରିବାକୁ ହେଲେ ନିଜ ମନକୁ ଟ୍ରେନ ବା ପ୍ରଶିକ୍ଷିତ କରିବାକୁ ପଡିବ ବୋଲି ସେ କହିଥିଲେ। ସେହିପରି ସେ ପ୍ରାର୍ଥୀମାନଙ୍କୁ ନିଜ ସହିତ ନିଜେ ପ୍ରତିଯୋଗିତା କରି ନିଜକୁ ନିରନ୍ତର ଉନ୍ନତ କରିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ ନିଜର ଭାରତୀୟ ପୋଲିସ୍ ସେବାର ଯାତ୍ରା ସମ୍ପର୍କରେ ଅନୁଭବ ବଖାଣି ଥିଲେ। ସେ ପ୍ରାର୍ଥୀମାନଙ୍କୁ ସମୟର ସଠିକ ବ୍ୟବହାର କରି ଏହି ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ଆହ୍ୱାନ ଦେଇଥିଲେ।ୟୁପିଏସ୍ସି ପରୀକ୍ଷା ପରି କଠିନ ପରୀକ୍ଷାକୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପାଇଁ ସେ କିଛି ଗୁରୁତ୍ୟପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଥିଲେ।ଏହି ଅବସରରେ ପ୍ରାର୍ଥୀମାନଙ୍କ ପାଇଁ ଏକ ମକ୍ ଟେଷ୍ଟ (ଅଭ୍ୟାସ ପରୀକ୍ଷା) ଆୟୋଜନ କରାଯାଇଥିଲା। ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ, ଏସ୍ପି, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ ଓ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ମଧ୍ୟ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।ଏହି ମାଗଣା କୋଚିଂ କାର୍ଯ୍ୟକ୍ରମଟି ଜିଲ୍ଲା ଦକ୍ଷତା ବିକାଶ ଓ ନିଯୋଜନ କାର୍ଯ୍ୟାଳୟ, ନୂଆପଡା ପକ୍ଷରୁ ପ୍ରଦାନ କରାଯାଉଛି।ଶେଷରେ ସିଡିଓ ଲମ୍ବୋଦର ଧରୁଆ ଧନ୍ୟବାଦ ଜ୍ଞାପନ କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ବିନୋଦ ପ୍ରକାଶ ଲାକ୍ରା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
