“ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” କାର୍ଯ୍ୟକ୍ରମ ବାଲେଶ୍ୱରରେ ଅନୁଷ୍ଠିତ:
ବାଲେଶ୍ୱର, ୧୩/୦୩/୨୬_ : ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଆଜି ବାଲେଶ୍ୱରର ପଦ୍ମାବତୀ ଆମ୍ୟୁଜମେଣ୍ଟ ପାର୍କ ଠାରେ ଅତି ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାଏକ, ଉପ ଜିଲ୍ଲାପାଳ ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁସ୍ମିତା ରଥ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ମହାନ୍ତି ଙ୍କ ସହ କାର୍ଯ୍ୟକାରୀ ସଂସ୍ଥା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସମାଜର ଅନଗ୍ରସର ବର୍ଗର ଲୋକଙ୍କର ବିବାହ ସମ୍ବନ୍ଧୀୟ ଆର୍ଥିକ ବୋଝ ହ୍ରାସ କରିବା ସହିତ ମହିଳାଙ୍କ ସ୍ୱାଭିମାନ ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଏହି ଯୋଜନା ଅତ୍ୟନ୍ତ ଲୋକପ୍ରିୟ ହୋଇଛି। ଏହା ବିଧବା ପୁନର୍ବିବାହକୁ ପ୍ରୋତ୍ସାହନ ଦେବା ସହିତ ଯୌତୁକ ପ୍ରଥା ନିରାକରଣ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ଏହି ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ ୪୫,୦୦୦ ଟଙ୍କା ଜମା କରାଯିବା ସହିତ ମୋଟ ୬୦,୦୦୦ ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି।
ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସମାଜିକ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
