ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁମାଗଡ଼ର ବାର୍ଷିକ ଉତ୍ସବ ଅନୁଷ୍ଠିତ
(ମନ୍ତ୍ରୀଙ୍କ ଦ୍ଵାରା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସକାଶେ ଘୋଷଣା)
_________________________________
ପୋଲସରା ତା-୧୧/୨/୨୦୨୬: ରୁମାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫-୨୬ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ବରିଷ୍ଠ ଶିକ୍ଷକ ଜଗନ୍ନାଥ ପଣ୍ଡା ମଞ୍ଚ ପରିଚାଳନା କରିବାସହ ଅତିଥିଙ୍କୁ ସ୍ଵାଗତ ଏବଂ ପରିଚୟ ପ୍ରଦାନ ଏବଂ ବାର୍ଷିକ ବିବରଣୀ ପଠନ କରିଥିଲେ। ପ୍ରଧାନ ଶିକ୍ଷକ ସତ୍ୟବାଦି ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସ.ଏମ୍.ସି. ସଭାପତି ରଞ୍ଜନ କୁମାର ବିଷୋୟୀ ସଭାପତିତ୍ଵ କରିଥିଲେ।ଅତିଥିମାନଙ୍କୁ ପାରମ୍ପରିକ ସ୍ଵାଗତ ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ନିଜର ପ୍ରେରଣାଦାୟୀ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିଜର ମାତା, ବାପା, ଗୁରୁଜନ ଏଵଂ ଗୁରୁମାନଙ୍କୁ କଥାମାନି କଠିନ ପରିଶ୍ରମ ଦ୍ଵାରା ଉଚିତ ଶିକ୍ଷା ଜ୍ଞାନ ଆହରଣ କରି ସମାଜରେ ଜଣେ ଜଣେ ଭଲ ଓ ଚରିତ୍ରବାନ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏଥିସହ ଉକ୍ତ ଅନୁଷ୍ଠାନର ଶିକ୍ଷାର ବିକାଶ ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ଭାବେ ରାଜ୍ୟର ଅନ୍ୟ ବିଦ୍ୟାଳୟ ଭଳି ଏହି ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟ ବକ୍ତା ଭାବେ ସାଂସଦ ପ୍ରତିନିଧି ଆସ୍କା ଲୋକସଭା ଶରତ ଚନ୍ଦ୍ର ପାଣିଗ୍ରାହୀ, ସ୍ଵତନ୍ତ୍ର ଅତିଥିଭାବେ ବିଶିଷ୍ଠ ସମାଜସେବୀ ପ୍ରଭାକର ପଣ୍ଡା ଏବଂ ସମ୍ମାନିତ ଅତିଥିଭାବେ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ହର୍ଷବାବୁ ଖାଡଙ୍ଗା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ, ରୁମାଗଡ଼ ପଞ୍ଚାୟତ ସରପଞ୍ଚ ଜିତୁ ବିଷୋୟୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମ୍ଫ ବାଢେଇ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବାସହ ସେମାନଙ୍କର ଭବିଷ୍ୟତ ଉଜ୍ଜଳ ଏବଂ ଅନୁଷ୍ଠାନର ଉତ୍ତରୋତ୍ତର ଶୁଭକାମନା କରିଥିଲେ।ପରେ ବାଲବାଟିକା ସହିତ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ସଫଳ ହୋଇଥିବା ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଛାତ୍ରୀମାନଙ୍କ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ୮ମ ଶ୍ରେଣୀର ୭ ଜଣ ଛାତ୍ରୀମାନେ ସାମୂହିକ ଭାବେ ନୃତ୍ୟାଭିନୟ ଦ୍ଵାରା ଜାତୀୟ ସଂଗୀତ”ବନ୍ଦେ ମାତରମ୍” ସଙ୍ଗୀତ ପରିବେଷଣ କରି ଏକ ଦେଶପ୍ରେମ ଭାବନା ସମସ୍ତଙ୍କ ଠାରେ ଜାଗ୍ରତ କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା। ଶେଷାର୍ଦ୍ଧରେ ଛାତ୍ରଛାତ୍ରୀମାନେ ମନୋରଞ୍ଜନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ସୁନ୍ଦରଭାବେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶାନ୍ତିଭୂଷଣ ବାଡତ୍ୟା, ବସନ୍ତ କୁମାର ପଟ୍ଟନାୟକ, ଘନଶ୍ୟାମ ବାଡତ୍ୟା, ପ୍ରମୁଖ ଶିକ୍ଷକମାନଙ୍କ ସମେତ ରାଜଲକ୍ଷ୍ମୀ ମହାରଣା, ଏ. ରମାଦେବୀ ପାତ୍ର, ଶ୍ରଦ୍ଧାଞ୍ଜଳି ସାହୁ ଓ ସୁଶ୍ରୀ ଶ୍ରୋତାଙ୍ଗିନି ପ୍ରଧାନ ପ୍ରମୁଖ ଶିକ୍ଷୟତ୍ରୀ ଏବଂ ଏସଏମସି ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ତଥା ପୂର୍ବନତ ସିଆରସିସି ସୁରେନ୍ଦ୍ର ସେଠୀ ଅନୁଷ୍ଠାନ ତରଫରୁ ସମସ୍ତ ବ୍ୟକ୍ତି ବିଶେଷ ଏବଂ ଅତିଥିବୃନ୍ଦଙ୍କୁ ଆନ୍ତରିକ ଧନ୍ୟବାଦ ସହିତ କୃତଜ୍ଞତା ଜଣାଇଥିଲେ।
