*ନୂଆପଡ଼ାରେ ନିରନ୍ତର ବିକାଶ ଲକ୍ଷ୍ୟ–୨୦୩୦ଉପରେ ବ୍ଲକ୍ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l*
ନୂଆପଡ଼ା( ମିଖାଏଲ ନନ୍ଦ)
, ତା. ୧୦.୦୨:
ନୂଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନିରନ୍ତର ବିକାଶ ଲକ୍ଷ୍ୟ (Sustainable Development Goals–SDG)–୨୦୩୦ ଉପରେ ଏକ ବ୍ଲକ୍ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧି ଓ କର୍ମଚାରୀମାନଙ୍କୁ ସଚେତନ କରିବା ଏବଂ ଲକ୍ଷ୍ୟ ସାଧନ ପାଇଁ ତୃଣମୂଳସ୍ତରରୁ କାର୍ଯ୍ୟନ୍ୱୟନକୁ ସୁଦୃଢ଼ କରିବା।
ଶିବିର ଆରମ୍ଭରେ ଜିଲ୍ଲା ଯୋଜନା ନିର୍ଦ୍ଦେଶକ ଦିଲେଶ୍ୱର ଧରୁଆ ସମସ୍ତଙ୍କୁ ସ୍ୱାଗତ କରି ନିରନ୍ତର ବିକାଶର ଧାରଣା, ନିରନ୍ତର ବିକାଶ ଲକ୍ଷ୍ୟଗୁଡ଼ିକ କ’ଣ ଏବଂ ସେଗୁଡ଼ିକୁ କିପରି ସାଧନ କରାଯାଇପାରିବ—ସେଥିପାଇଁ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଏହି ଅବସରରେ ନୂଆପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ ଉପସ୍ଥିତ ଜନସମୂହକୁ ସମ୍ବୋଧନ କରି କହିଥିଲେ ଯେ ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ପାଇଁ ତୃଣମୂଳ ସ୍ତରରେ ସକ୍ରିୟ ଭୂମିକା ଅତ୍ୟନ୍ତ ଆବଶ୍ୟକ। ଗ୍ରାମ ପଞ୍ଚାୟତ ସ୍ତରରେ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟନ୍ୱୟନ ହେଲେ ଲକ୍ଷ୍ୟ ପୂରଣ ସମ୍ଭବ ବୋଲି ସେ କହିଥିଲେ। ବ୍ଲକ୍ ଉନ୍ନୟନ ଅଧିକାରୀ ରୋହିତ ଭୋଇ ତାଙ୍କ ଉଦ୍ବୋଧନରେ ନିରନ୍ତର ବିକାଶ ଲକ୍ଷ୍ୟ (SDG)ର ୯ଟି ମୁଖ୍ୟ ଥିମ୍ ସମ୍ପର୍କରେ ବ୍ୟାଖ୍ୟା କରି ପଞ୍ଚାୟତ ସ୍ତରରେ ସେଗୁଡ଼ିକୁ କିପରି ଯୋଜନା ଓ କାର୍ଯ୍ୟକ୍ରମ ସହିତ ସମନ୍ୱୟ କରାଯାଇପାରିବ, ତାଉପରେ ଆଲୋକପାତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲୀପ ନିର୍ମଳକର, ସହାୟକ ଯୋଜନା ନିର୍ଦ୍ଦେଶକ ପ୍ରେମରାଜ ହଁସ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ରଥ, ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚମାନେ ଉପସ୍ଥିତ ଥିଲେ।
