ଜୟପ୍ରକାଶ ଶିକ୍ଷାନିକେତନ ଓ ଚର୍ଚ୍ଚିକାୟୀ ଉପ୍ରା ବିଦ୍ୟାଳୟ ବାର୍ଷିକୋତ୍ସବ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ତଂଅରା ପଞ୍ଚାୟତ ରାମଚନ୍ଦ୍ରପୁର ସ୍ଥିତ ଜୟପ୍ରକାଶ ଶିକ୍ଷାନିକେତନ ଓ ଚର୍ଚ୍ଚିକାୟୀ ସରକାରୀ ଉପ୍ରା ବିଦ୍ୟାଳୟରେ ୩୮ତମ ବାର୍ଷିକୋତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଜୟପ୍ରକାଶ ଶିକ୍ଷାନିକେତନ ପରିଚାଳନା ସଭାପତି ଇଂ ବାବାଜୀ ଚରଣ ଜେନା ପୌରହିତ୍ୟ କରିଥିବା ବେଳେ ଅବସରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପରିଦର୍ଶକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଭିତ୍ତିକ ଦିଗଦର୍ଶନ ପ୍ରଦାନ କରିଥିଲେ। ଶିକ୍ଷା କ୍ଷେତ୍ରରେ ନିଜର ଦୃଢ ଇଚ୍ଛାଶକ୍ତି ଜାଗ୍ରତ ରଖି ଜିଦରେ ଅଟଳ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ଯଦୁନାଥ ଜେନା, ତଅଁରା ସରପଞ୍ଚ ବଟକୃଷ୍ଣ ନାୟକ ଓ ସମିତି ସଭ୍ୟା ଶାନ୍ତିଲତା ଦ୍ୱିବେଦୀ,ଦୁଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରଞ୍ଜନ ବେହେରା ଓ ଦୀପାଞ୍ଜଳୀ ନାୟକ, ପଞ୍ଚସଖା ଶିକ୍ଷା ସେତୁ କୋଷାଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ର, କମିଟି ସଦସ୍ୟ ପାର୍ଥସଖା ପାଲଟା ସିଂ ଓ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ବନ୍ଦନା ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ରାଜ୍ୟସ୍ତରୀୟ ଜୁଡୋ ଶିକ୍ଷକ ଲୋପାମୁଦ୍ରା ପତି, ଅବସରପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ନାୟକ ଓ ଗତବର୍ଷ ୧୦ମ ବୋର୍ଡ ପରୀକ୍ଷାରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ବନ୍ଦିତା ଜେନାଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୮୫ ଛାତ୍ରଛାତ୍ରୀଙ୍କୁ ମେଡାଲ ଓ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ପ୍ରଧାନଶିକ୍ଷକ ରଞ୍ଜନ କୁମାର ମିଶ୍ର ବିବରଣୀ ପଠନ ସହ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକ ପବିତ୍ର କୁମାର ସ୍ବାଇଁ ଅତିଥି ପରିଚୟ ଓ ସୁବାଷ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବିଷ୍ଣୁଚନ୍ଦ୍ର କର, ସୁଧୀର କୁମାର ସାହାଣୀ, ସୁଧୀର କୁମାର ନାୟକ, ଧରଣୀଧର ଜେନା, ସାରଦା ପ୍ରସାଦ ନାୟକ, ବୀଣାପାଣି ବେହେରା ପ୍ରମୁଖ ସହଯୋଗ କରିଥିଲେ।
