କ୍ଲଷ୍ଟରସ୍ତରୀୟ ମାସିକ ଶିକ୍ଷକ ପ୍ରଶିକ୍ଷଣ ଶିବିର, କରବାଲୁଆ ଚିକିଟୀ
ଶିକ୍ଷର୍ଥୀର ଶିକ୍ଷଣ ଅଗ୍ରଗତିରେ ବୃଦ୍ଧି ସାଙ୍ଗକୁ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବା ନିମନ୍ତେ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ପ୍ରତି ମାସରେ କ୍ଲଷ୍ଟରସ୍ତରୀୟ ମାସିକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଅଛି । ଚଳିତ ଜାନୁଆରୀ ମାସରେ ସି ଆର ସି ସି ମିନତି କୁମାରୀ ପାଠୀ ଉକ୍ତ ମାସିକ ବୈଠକକୁ ପ୍ରାଥମିକ ବିଦ୍ୟାଳୟ କୋଳଥିଆ ଠାରେ ଅନୁଷ୍ଠିତ କରିଥିଲେ । ସି ଆର ସି ସି ସମସ୍ତ ଶିବିରାର୍ଥୀଙ୍କୁ ନେଇ ପ୍ରଥମେ ପ୍ରଦୀପ ପ୍ରଜ୍ଵଳନ ସହିତ ବିଭୁ ପ୍ରାର୍ଥନା କରାଇ ଶୁଭାରମ୍ଭ କରିଥିଲେ । ଏଥିରେ ଜାନୁଆରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁଶ୍ରେଣୀ ପରିଚାଳନାର କୌଶଳ, ବିଦ୍ୟାଳୟ ପରିଦର୍ଶନ ଓ ତା’ର ଆଲୋଚନା, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ସାମାପ୍ତିସୂଚକର ପ୍ରସ୍ତୁତି ଏବଂ ଅନ୍ୟ ଶ୍ରେଣୀମାନଙ୍କର ବାର୍ଷିକ ପରୀକ୍ଷା ପୂର୍ବରୁ ସାମଗ୍ରିକ ବିକାଶର ଲକ୍ଷ୍ୟ, ଏଫ ଏଲ ଏନ ଶ୍ରେଣୀପରିଚାଳନା ଓ ଶିକ୍ଷଣ ସୋପାନ ରେଜିଷ୍ଟରର ବ୍ୟବହାର ପ୍ରଭୃତି ଫଳପ୍ରଦ ଅଲୋଚନ ହୋଇଥିଲା । ଉକ୍ତ ସମସ୍ତ ଆଲୋଚ୍ୟ ବିଷୟ କ୍ଲଷ୍ଟରସ୍ତରରେ ସମସ୍ତ ବିଦ୍ୟାଳୟ ଓ ଶ୍ରେଣୀରେ ପ୍ରତିଫଳିତ ହେଉ ବୋଲି କାମନା କରିଥିଲେ । ଶ୍ରେଣୀ ପରିଚାଳନାରେ ଆସୁଥିବା ସମସ୍ୟା, ଦ୍ଵନ୍ଦ ଗୁଡିକୁ କିପରି ସମାଧାନ କରାଯାଇପାରିବ, ତା’ କୌଶଳଗୁଡିକୁ ଶିକ୍ଷକଙ୍କ ସହିତ ଭାବ ବିନିମୟ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷାପ୍ରଶିକ୍ଷଣ ପ୍ରତିଷ୍ଠାନ ଖଲ୍ଲିକୋଟର ପ୍ରଶିକ୍ଷିକା ବବିତା ସିଂ, ଚିକିଟୀ ଗୋଷ୍ଠୀ ଶିକ୍ଷାଅଧିକାରୀ ପନ୍ନଗ ଭୂଷଣ ମାଝି ପରିଦର୍ଶନରେ ଆସି ଶିକ୍ଷାଦାନ ଓ ପରିଚାଳନା ଶୃଙ୍ଖଳାରେ ସନ୍ତୋଷ ପ୍ରକଟକରିବା ସହ ସି ଆର ସି ସି ଙ୍କ କାର୍ଯ୍ୟଦକ୍ଷତାକୁ ପ୍ରସଂଶା କରିଥିଲେ । କୋଳଥିଆ ପ୍ରାଥମିକ ବିଦ୍ୟାଳୟର ଶୈକ୍ଷିକ ବାତାବରଣ , ପ୍ରସ୍ତୁତ ପି ପି ଟି , ଶ୍ରେଣୀଗୃହର ସାଜସଜ୍ଜା, ଶିକ୍ଷାର୍ଥୀଙ୍କ ଶୈକ୍ଷିକ ଅଗ୍ରଗତି ଓ ଶୃଙ୍ଖଳାକୁ ଦୃଷ୍ଟାନ୍ତମୂଳକ ବୋଲି ମତ ରଖିଥିଲେ । ଶିବିରରେ ଉପସ୍ଥିତରହି ସହଯୋଗ କରିଥିବା ସମସ୍ତ ଅଂଶ ଗ୍ରହଣକାରୀଙ୍କୁ, ପରିଦର୍ଶନରେ ଆସିଥିବା ଅଧିକାରୀଙ୍କୁ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ପି ଜଗଦମ୍ବା, ସୁନୀଳ କୁମାର ପାଣିଗ୍ରାହୀଙ୍କୁ ସି ଆର ସି ସି ଅନ୍ତରରୁ ଧନ୍ୟବାଦ ପ୍ରଦାନ କରିଥିଲେ ।
