*ନୂଆପଡାରେ ଜିଲ୍ଲାସ୍ତରୀୟ ଜଳ ଓ ପରିମଳ ମିଶନ ବୈଠକ ଅନୁଷ୍ଠିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
୨୮/୦୧
ନୂଆପଡାରେ ସ୍ଥାନୀୟ ସଦ୍ଭାବନା ଗୃହରେ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧୀନରେ ୧୪ତମ ଜିଲ୍ଲା ଜଳ ଓ ପରିମଳ ମିଶନ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ଜଳ ଯୋଗାଣ ଓ ପରିମଳ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଜିଲ୍ଲାର ସମସ୍ତ ବ୍ଲକରେ ସୁଦୃଢ଼ ଓ ସ୍ଥାୟୀ ପାଇପ ସହିତ ସ୍ବଚ୍ଛ ଜଳ ଯୋଗାଣ ଉଦ୍ୟମକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ସମୀକ୍ଷା ବୈଠକ ଅନୁସାରେ, ମଡେଲ୍ ଓଡ଼ିଏଫ୍ ପ୍ଲସ୍ ଗ୍ରାମ ଲକ୍ଷ୍ୟ ପୂରଣ କ୍ଷେତ୍ରରେ ଜିଲ୍ଲାର ପାଞ୍ଚଟି ବ୍ଲକ ମଧ୍ୟରୁ ବୋଡେନ, କୋମନା ଓ ସିନାପାଲି ବ୍ଲକ ୨୮ ଜାନୁଆରୀ ୨୦୨୬ ସୁଦ୍ଧା ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି। ଖରିଆର ବ୍ଲକ ୯୮.୨୬ ପ୍ରତିଶତ ଓ ନୂଆପଡ଼ା ବ୍ଲକ ୯୯.୩୬ ପ୍ରତିଶତ ଅଗ୍ରଗତି ସହ ଲକ୍ଷ୍ୟ ପୂରଣର ନିକଟତର ହୋଇଛନ୍ତି।ଗୋଷ୍ଠୀ ପରିମଳ କମ୍ପ୍ଲେକ୍ସ, ଆବର୍ଜନା ପରିଚାଳନା, ପରିମଳ କର୍ମଚାରୀ ନିଯୁକ୍ତି, ଠୋସ ଆବର୍ଜନା ପରିଚାଳନା ଗ୍ରେ ଓଟର୍ ମ୍ୟାନେଜମେଣ୍ଟ ଓ ବର୍ତନ ବ୍ୟାଙ୍କ ଭଳି ଉଦ୍ୟମ ଗୁଡ଼ିକରେ ଜିଲ୍ଲାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରାଯାଇଛି।‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା’ ଅଭିଯାନ ଅଧୀନରେ ୦୫.୦୬.୨୦୨୫ ଠାରୁ ଏପର୍ଯ୍ୟନ୍ତ ବୋଡେନ ବ୍ଲକରୁ ୭୫୪୮ କିଲୋଗ୍ରାମ୍, ଖରିଆର ବ୍ଲକରୁ ୯୨୫୮ କିଲୋଗ୍ରାମ୍, କୋମନା ବ୍ଲକରୁ ୧୫୮୭୦ କିଲୋଗ୍ରାମ୍, ନୂଆପଡ଼ା ବ୍ଲକରୁ ୧୨୨୫୧ କିଲୋଗ୍ରାମ୍ ଓ ସିନାପାଲି ବ୍ଲକରୁ ୧୦୧୦୨ କିଲୋଗ୍ରାମ୍ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରାଯାଇଛି।
ଏହି ବୈଠକରେ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅଧୀକ୍ଷଣ ଯନ୍ତ୍ରୀ (ଆର୍ଡବ୍ଲ୍ୟୁଏସ୍ ଏଣ୍ଡ୍ ଏସ୍), ନୂଆପଡ଼ା ପ୍ରହଲ୍ଲାଦ ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଲଛମନ ଓରାମ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଡିଏସ୍ସି ଜିଲ୍ଲା ପରିଷଦ ଅନିଲ କୁମାର ଲେଙ୍କା, ସମସ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
