ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପରିଦର୍ଶନ, ବିଭିନ୍ନ ସମସ୍ୟା ଉପରେ ଆଲୋଚନା।
# ବିଭିନ୍ନ ସମସ୍ୟାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ।
ରେଢ଼ାଖୋଲ ୨୨.୧୨(ଭଂଜଦୂତ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଦିନ
ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। କମିଟିର ବିଭୁତି ଭୂଷଣ ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧିଦଳ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ପ୍ରଥମେ ରୋଗୀ ମାନଙ୍କ ପାଖକୁ ଯାଇ ରୋଗୀ ମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଫଳ ବଣ୍ଟନ କରିଥିଲେ। ତା ପରେ ଡାକ୍ତରଖାନା ସଭାଗୃହ ଠାରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ମୁଖ୍ୟତଃ ରେଢ଼ାଖୋଲ ଅଞ୍ଚଳରେ ବ୍ୟାପକ ମାତ୍ରାରେ ବଢ଼ି ଚାଲିଥିବା କିଡିନି ରୋଗ ସହିତ ଡାକ୍ତରଖାନାରେ ଡାକ୍ତର ସମସ୍ୟା , ରେଢ଼ାଖୋଲ ଡ଼ାକ୍ତରଖାନା ୧୦୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏବେ ସୁଧା ଆଉ ୫୦ ବେଡ ପଡ଼ି ନ ଥିବାରୁ ରୋଗୀ ଚଟାଣ ତଳେ ଶୋଇ ଚିକିତ୍ସା ହେଉଛନ୍ତି। ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳରେ କିଡିନୀ ରୋଗ ନିୟନ୍ତ୍ରଣ ପାଇଁ ଆଗାମୀ ଦିନରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ କମିଟି ରିପୋର୍ଟ ଦେବ ବୋଲି ପ୍ରକାଶ କରିଥିଲେ। ବିଶେଷ କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ମେସିନରେ ପରୀକ୍ଷା କରାଯାଉ ନ ଥିବା, ଅଧିକାଂଶ ସମୟ ଏକ୍ସ୍ରେ ମେସିନ ବନ୍ଦ ରହୁଥିବା, ରକ୍ତ ପରୀକ୍ଷା କେନ୍ଦ୍ର ଆଦି ସମସ୍ୟା ଉପରେ ଆଲୋଚନା କରିଥିଲେ। ଏଥିରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ତେଲକୋଇ ବିଧାୟକ ଡ଼. ଫକିର ମୋହନ ନାଏକ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ, ଚିକିତ୍ସାଳୟ ଅଧିକ୍ଷକ ବାସୁଦେବ ହୋତା ପ୍ରମୁଖ ସମେତ ଜନ ପ୍ରତିନିଧି, ପ୍ରଶାସନ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।
