*ନୂଆପଡ଼ା ଜିଲ୍ଲା ସଦରମହକୁମା ଠାରେ ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପ- ଯୁବୋତ୍ସବ-୨୦୨୬ ଉଦ୍ଘାଟିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସଦରମହକୁମାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ “ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପ- ଯୁବୋତ୍ସବ-୨୦୨୬” ମହାସମାରୋହରେ ଉଦ୍ଘାଟିତ ହୋଇଯାଇଅଛି । ଉକ୍ତ ଯୁବୋତ୍ସବକୁ ସ୍ଥାନୀୟ ଉପଜିଲ୍ଲାପାଳ, ଶ୍ରୀମତୀ ସୁରମୀ ସୋରେନ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଯୁବୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମଧୁସୂଦନ ସାହୁ, ସ୍ଥାନୀୟ ବରିଷ୍ଠ କଳାକାର ଶ୍ରୀ ସଂକର୍ଷଣ ପୁରୋହିତ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର କଳା ଶିକ୍ଷକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସୋରେନ ଉପସ୍ଥିତ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଅବସରରେ କହିଥିଲେ, ଆମ ରାଜ୍ୟ ଓ ଦେଶର ବିକାଶ ପାଇଁ ଯୁବ ଶକ୍ତିର ବିକାଶ ହେବ ଜରୁରୀ । ଆମେ ଯେତେ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ଆମ ସଂସ୍କୃତି, କଳା, ଐତିହ୍ୟ ଓ ପରମ୍ପରାକୁ ଭୁଲିବା ଉଚିତ ନୁହେଁ । ଗୁରୁଜନ ମାନଙ୍କୁ ସର୍ବଦା ସମ୍ମାନ ଦେଇ ନିଯ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା ପାଇଁ ଉକ୍ତ ଯୁବୋତ୍ସବ ଏକ ଉପଯୁକ୍ତ ମାଧ୍ୟମ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ । ଯୁବଶକ୍ତି ସଦାସର୍ବଦା ନିଜକୁ ରାଷ୍ଟ୍ର ଗଠନ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା ଉଚିତ । ଜିଲ୍ଲା କ୍ରୀଡା ଅଧିକାରୀ, ନୂଆପଡ଼ା ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ବଢାଇ ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପ- ଯୁବୋତ୍ସବ-୨୦୨୬ରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଉକ୍ତ ଉତ୍ସବରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଯୁବ ପ୍ରତିଯୋଗୀମାନେ ଆଗାମୀ ଦିନରେ କ୍ରୀଡା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ଦ୍ଵାରା ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପ- ଯୁବୋତ୍ସବ-୨୦୨୬ କାର୍ଯ୍ୟକ୍ରମରେ ଭାଗ ନେବା ନିମନ୍ତେ ଯୋଗ୍ୟତା ଅର୍ଜନ କରିବେ । ଆଜି ପ୍ରଥମ ଦିବସରେ ଗଳ୍ପ ଲିଖନ, ବକୃତା ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ଓ କବିତା ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଆସନ୍ତା କାଲି ତା୦୭.୧୨.୨୦୨୫ରିଖ ୧୦.୦୦ ଘଟିକା ଠାରୁ ଦଳଗତ ଲୋକନୃତ୍ୟ, ଦଳଗତ ଲୋକଗୀତ ଏବଂ ଦଳଗତ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହେବ । ଆଜି ପ୍ରଥମ ଦିବସରେ ସର୍ବମୋଟ ୩୦୯ ଜଣ ଯୁବପ୍ରତିଭା ଚାରି ଗୋଟି ବିଭାଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତା ମାନଙ୍କର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା କାଲି ଅପରାହ୍ଣରେ ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ ।
