ସୋରରେ ଫୁଟବଲ ଫିବର: ଉଦଘାଟନୀ ମ୍ୟାଚରେ ମୟୁରଭଞ୍ଜ ଏକାଦଶ ୧-୦ ରେ ବିଜୟୀ।
ସୋର (ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::: ସୋରରେ ଆରମ୍ଭ ହୋଇଛି ୫ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ।
ସୋର ଫୁଟବଲ୍ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ମମତାଜ ହୁସେନ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ସୋର ଉପେନ୍ଦ୍ରନାଥ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମବଙ୍ଗର କୋଲାଘାଟ ଏଫ ସି, ଏବଂ ମୟୁରଭଂଜ ଏକାଦଶ ମଧ୍ୟରେ ହୋଇଥିବା ଆଜିର ମ୍ୟାଚରେ ମୟୁରଭଂଜ ଏକାଦଶ ୧-୦ ଗୋଲରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଆଜିର ଖେଳରେ ମୟୁରଭଞ୍ଜ ଏକାଦଶର ୧୧ ନଂ ଜର୍ଶୀ ପରିଧାନ କରିଥିବା ଲୋଧା ସିଂ ଦଳ ତରଫରୁ ଗୋଲ୍ ଦେଇ ମେନ୍ ଅଫ ଦି ମ୍ୟାଚ୍ ହୋଇଥିଲେ। ତାଙ୍କୁ ଟ୍ରଫି ସହ ଆର୍ଥିକ ପୁରସ୍କାର ସ୍ଵର୍ଗତ ନରେନ୍ଦ୍ର ପ୍ରସାଦ ରଣା ସ୍ମାରକୀ ସ୍ମୃତିରେ ପ୍ରଦାନ କରାଯାଇ ଥିଲା। ନାଇଜେରିଆରୁ ଆସିଥିବା ଇଶ୍ମାଇଲ ଆଜିର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ । ଅନୁଷ୍ଠାନର ଉଦଘାଟନ ପର୍ବରେ ମନୋଜ କୁମାର ମହାନ୍ତି, ଅଧ୍ୟକ୍ଷ ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋର, ଗୋବିନ୍ଦ ଚନ୍ଦ୍ର ନାୟକ, ମୁଖ୍ୟ ପ୍ରବନ୍ଧକ ଏସ ବି ଆଇ, ସୋର ମିଳିତ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ସୋର ଥାନା ର ଏସ ଆଇ ପ୍ରଭାକର ସାହୁ ଯୋଗ ଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ପାଇଁ କାମନା କରିଥିଲେ। ଖେଳ ପ୍ରାରମ୍ଭରେ ନୂପୁର ନୃତ୍ୟ ଅନୁଷ୍ଠାନ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା। ରେଫେରି ରାଜୁ ମହାନ୍ତି, ଜ୍ୟୋତି ରଞ୍ଜନ ସ୍ବାଇଁ, ମାନସ ବିଶ୍ବାଳ ଏବଂ ଉତ୍ତମ ବାରିକ ଖେଳ ପରିଚାଳନା କରିଥିଲେ। ଭାଷ୍ୟକାର ଭାବେ ଭାଗିରଥୀ ପାତ୍ର ଓ ବୃଷଭାନୁ ମହାପାତ୍ର ଯୋଗ ଦେଇଥିଲେ। ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି ସଭା ପରିଚାଳନା କରିଥିବା ବେଳେ ସଂପାଦକ ସୌମ୍ୟଶାନ୍ତ ଅମୃତ ପଟ୍ଟନାୟକ, ଉପ ସଭାପତି ବଙ୍କେଶ କୁମାର ବେହେରା, ରାଜେନ୍ଦ୍ର କୁମାର ମହାନ୍ତି, ସହ ସମ୍ପାଦକ ଖଲିଦ୍ ହୋସେନ , ଅବଦୁଲ୍ ଓଦୁତ୍ ଖାଁ ଓ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ।
